ମାଛ ବ୍ୟବସାୟୀଙ୍କ ପେଟରେ ଫୁଟିଗଲା ବାଉଁଶ

ବାଲିଅନ୍ତା: ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଧୀନ ଶିଶିଲୋଛକ ନିକଟସ୍ଥ ମା’ ତାରିଣୀ ମନ୍ଦିର ନିକଟରେ ଆଜି ଭୋର ସମୟରେ ଥୁଆ ହୋଇଥିବା ଗୋଟିଏ ବାଉଁଶ ବୋଝେଇ ଗାଡ଼ି ପଛରେ ପିଟିହୋଇ ଜଣେ ମାଛ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ଆହତ ମାଛ ବ୍ୟବସାୟୀ ଜଣକ ହେଲେ ବାଲିଅନ୍ତା ଥାନା ଅଧୀନ ପୂରଣ ଗ୍ରାମର ଜଟ ବେହେରା (୬୫)। ଟ୍ରକ ଉପରେ ଲଦାହୋଇ ରହିଥିବା ବାଉଁଶ ଜଟଙ୍କ ପେଟରେ ଫୁଟି ଯିବାରୁ ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ପେଟ ଭିତରେ ବାଉଁଶ ଫୁଟିଯିବାରୁ ତାଙ୍କର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକ ଜଟଙ୍କୁ ପ୍ରଥମେ ବାଳକାଟି ହସ୍ପିଟାଲରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ଏଠାରୁ କ୍ୟାପିଟାଲ ହସ୍ପିଟାଲ ପରେ ଭୁବନେଶ୍ୱର ସହିଦନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସଂପର୍କରେ ଫାଣ୍ଡି ପୁଲିସକୁ ପଚାରିବାରେ ତାଙ୍କ ପାଖରେ ଏ ନେଇ କୌଣସି ସୂଚନା ନଥିବା କହିଛନ୍ତି। ପ୍ରାପ୍ତ ସୂଚନାନୁୟୀ ଜଟ ଆଜି ଭୋର ପ୍ରାୟ ୪ଟା ସମୟରେ ଲୁନା ନେଇ ମାଛ କିଣିବା ପାଇଁ ବାଲିପାଟଣା ଅଭିମୁଖେ ଯାଉଥିବା ବେଳେ ଅସାବଧାନତାବଶତଃ ରାସ୍ତାର ଅଟକିରହିଥିବା ବାଉଁଶ ବୋଝେଇ ଗାଡ଼ି ପଛରେ ପିଟିହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର