କଟକ: ବାଲିଯାତ୍ରା ତଳପଡ଼ିଆରେ ଆଜି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ଲୋକେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫୦ ଫୁଟ ଉଚ୍ଚରେ ଦୋଳି ଅଟକିଯିବା ଫଳରେ ପଡ଼ିଆରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା। ଦୋଳିରେ ଫସି ରହିଥିବା ୮ ଜଣ ଭୟରେ ଚିତ୍କାର କରିଥିଲେ। ତେବେ ଦୀର୍ଘ ସମୟର କସରତ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ବାଲିଯାତ୍ରା ତଳପଡ଼ିଆରେ ପଡ଼ିଥିବା ସ୍କ୍ରିମ୍‌ ଟାୱାର୍‌ ଦୋଳି (ହାମର୍‌ ଦୋଳି)ରେ ଆଜି ଏହି ଅଘଟଣ ଘଟିଥିଲା। ଏହାର ଗୋଟିଏ ପଟ ଉପରକୁ ଉଠୁଥିବା ବେଳେ ଅନ୍ୟ ପଟ ତଳେ ରହିଥାଏ। ବୁଧବାର ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ଲୋକେ ଏହି ଦୋଳିରେ ବସି ମଜା ନେଉଥିଲେ। ହଠାତ୍‌ ଦୋଳିର ମେସିନ୍‌ ଲକ୍‌ ହୋଇଯାଇଥିଲା। ପ୍ରାୟ ୧୧ଟା ବେଳକୁ ଏହାର ଉପର ପଟ ୫୦ ଫୁଟ ଉପରେ ଅଟକି ଯାଇଥିଲା। ସେଥିରେ ଜଣେ ମହିଳା, ୧୨ ଓ ୧୫ ବର୍ଷ ବୟସର ଦୁଇ ଜଣ ପିଲା ଏବଂ ୫ ଜଣ ଯୁବକ ରହିଥିଲେ। ଏତେ ଉଚ୍ଚରେ ଦୋଳି ଅଟକି ରହିବା ଫଳରେ ଭୟ ଓ ଆତଙ୍କ‌ରେ ସେମାନେ ଚିତ୍କାର କରିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମବାହିନୀ ସେଠାରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ହାଇଡ୍ରୋଲିକ୍‌ ପ୍ଲାଟ୍‌ଫର୍ମ ସାହାଯ୍ୟରେ ଉପରେ ଲଟକି ରହିଥିବା ଦୋଳିରୁ ଜଣକ ପରେ ଜଣଙ୍କୁ ଉଦ୍ଧାର କରିଥିଲା। ରାତି ପ୍ରାୟ ଗୋଟାଏ ବେଳକୁ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓଙ୍କ ସମେତ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

Advertisment