ଭୁବନେଶ୍ବର: ଆଉ କିଛି ଦିନ ପରେ ଉଦ୍‌ଘାଟନ ହୋଇଥା’ନ୍ତା ପୋଖରୀପୁଟସ୍ଥିତ ଝାର ପୋଖରୀ। ନବୀକରଣ କାମ ସରିଛି। କିନ୍ତୁ ଉଦ୍‌ଘାଟନ ପୂର୍ବରୁ ଆଜି ସେହି ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭରା ପୋଖରୀରେ ସଲିଳ ସମାଧି ନେଇଛନ୍ତି ଦୁଇ ଛାତ୍ର। ମୃତକ ଦୁଇ ପିଲା ହେଲେ ଗଣ୍ଡମୁଣ୍ଡା ଭକ୍ତମଧୁନଗର ଲେନ୍‌-୬ ତଳ ତାରିଣୀ ବସ୍ତିର ନରେନ୍ଦ୍ର ମହାରଣାଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ପୁଅ ରାକେଶ ଓ ସୁଶାନ୍ତ ଜେନାଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଶୁଭମ। ଏହି ଅଘଟଣ ପରେ ଉଭୟ ପୋଖରୀପୁଟ ଗାଁ ଓ ତଳ ତାରିଣୀ ବସ୍ତିରେ ଶୋକର ଛାୟା ଖେଳିଯାଇଛି। ପହଁରା ନଜାଣି ଗଭୀର ପୋଖରୀରେ ଗାଧୋଇବା ସେମାନଙ୍କ ପାଇଁ କାଳ ସାଜିଥିବା ଜଣାପଡ଼ିଛି।

Advertisment

ଆଜି ରବିବାର ସ୍କୁଲ ଛୁଟି ଥିଲା। ପୂର୍ବାହ୍ନ ୧୧ଟାରେ ଶୁଭମ୍‌ ଓ ରାକେଶ ଟିଉସନ୍‌ରୁ ଘରକୁ ଫେରିଥିଲେ। ଘରକୁ ଫେରିବା ବାଟରେ ସାଙ୍ଗମାନେ ମିଶି ଝାର ପୋଖରୀକୁ ଗାଧୋଇ ଯିବାକୁ କଥା ହୋଇଥିଲେ। କିନ୍ତୁ ପୁଣି ମତ ବଦଳିଥିଲା ଏବଂ ଘରେ ବହିବସ୍ତାନି ରଖି ଗାଧୋଇ ଆସିବାକୁ ସେମାନେ ସ୍ଥିର କରିଥିଲେ। ଘରେ ମିଛ କହିଥିଲେ ଯେ ସେମାନେ ଖେଳିବାକୁ ଯାଉଛନ୍ତି। ଫେରିଲେ ଘରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ବରାଦ କରି ଘରୁ ବାହାରି ଯାଇଥିଲେ। ଅନ୍ୟ ବସ୍ତିର ପିଲାଙ୍କ ସହିତ ମିଶି ଝାର ପୋଖରୀ‌ ନିକଟରେ ପହଞ୍ଚିଯାଇଥିଲେ। ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପହଁରା ଶିଖିନଥି‌ଲେ। ନବୀକରଣ ହୋଇଥିବା ଝାର ପୋଖରୀର ଗଭୀରତା ମାପିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା। ସେମାନେ ପାଣିରେ ପଶି ଖେଳୁ ଖେଳୁ ହଠାତ୍ ରାକେଶ ଓ ସୁଶାନ୍ତ ଗଭୀର ପାଣିକୁ ଖସି ଯାଇଥିଲେ। ଶୁଭମ ଓ ରାକେଶ ପାଣିରେ ଉବୁଟୁବୁ ହେଉଥିବା ବେଳେ ଅନ୍ୟମାନେ ଭୟ କରି ପୋଖରୀ କୂଳକୁ ଉଠିଆସି ପାଟି କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କିନ୍ତୁ ସେତେବେଳକୁ ରାକେଶ ଓ ଶୁଭମ୍‌ ବୁଡ଼ି ସାରିଥିଲେ। ଲୋକମାନେ ଭିତରକୁ ଯିବାକୁ ସାହାସ ନକରି ଦମକଳ ବାହିନୀକୁ ଡାକିଥିଲେ। ଦମକଳ ବାହିନୀ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କଲା ବେଳକୁ ସେମାନେ ନିସ୍ତେଜ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

publive-image

ଖବର ପାଇ କ୍ୟାପିଟାଲ୍‌ ହସ୍ପିଟାଲ‌୍‌ରେ ରାକେଶ ଓ ଶୁଭମ୍‌ଙ୍କ ପରିବାର ଲୋକେ ପହଞ୍ଚିଥିଲେ। ଏମିତିକି ପୋଖରୀପୁଟ ଅଞ୍ଚଳର ବହୁ ଲୋକ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ପିଲା ଦୁଇଟି ବଞ୍ଚିଥିବା ଭାବି ବହୁ ଲୋକ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିବା ପରେ ହସ୍ପିଟାଲ୍‌ ପରିସର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ରାକେଶ ଓ ଶୁଭମ୍‌ ସେମାନଙ୍କ ପରିବାରର ଗୋଟିଏ ଗୋଟିଏ ପୁତ୍ରସନ୍ତାନ ଥିଲେ। ବାପାମା’ଙ୍କ କାନ୍ଦ ସମସ୍ତଙ୍କ ଆଖି‌ରେ ଲୁହ ଭରିଦେଇଥିଲା।

ଫିକା ପଡ଼ିଗଲା ଖୁଦୁରୁକୁଣୀ ପୂଜା
ଆଜି ଖୁଦୁରୁକୁଣୀ ପୂଜା ପାଇଁ ସକାଳୁ ତଳ ତାରିଣୀ ବସ୍ତି ଚଳଚଞ୍ଚଳ ହୋଇଉଠିଥିଲା। ଝିଅପିଲାମାନେ ସଜବାଜ ହୋଇ ପୂଜା ମଣ୍ଡପ ସଜେଇବାରେ ଲାଗିଥିଲେ। କିନ୍ତୁ ହଠାତ୍‌ ବସ୍ତି ସ୍ତବ୍ଧ ହୋଇଯାଇଥିଲା। ବସ୍ତିର ଦୁଇ ପୁଅ ପାଣିରେ ବୁଡ଼ିଯାଇଥିବା ଖବର ମିଳିବା ପରେ ସବୁ ଗହଳଚହଳ ନିରବ ହୋଇଯାଇଥିଲା। ହସ୍ପିଟାଲରୁ ମୃତ୍ୟୁ ଖବର ଆସିବା ପରେ ବସ୍ତି ସାରା ଶୋକର ଛାୟା ଖେଳିଯାଇଥିଲା। ସନ୍ଧ୍ୟାରେ ଝିଅମାନେ ଯେମିତି ‌ସେମିତି କରି କେବଳ ବିଧି ରଖି ପୂଜା କାମ ସାରିଦେଇଥିଲେ। ସେମାନେ ଦୁହୁଡ଼ି ଜାଳିନଥିଲେ କି ରଙ୍ଗିନ୍‌ ଆଲୋକ ଲଗାଇନଥିଲେ।