ଭୁବନେଶ୍ବର: ରାଜଧାନୀରେ ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାଜନିତ ଆତଙ୍କ ଥମିବା ନାଁ ଧରୁନାହିଁ। ଆଜି ପୁଣି ଜଣେ ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବଡ଼ଧରଣର ଅଘଟଣ ଘଟିଛି। ବସ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି ଏବଂ ଘଟଣାସ୍ଥଳରୁ ଖସି ପଳାଇବାକୁ ଦ୍ରୁତବେଗରେ ଗାଡ଼ି ଚଳାଇବାରୁ ଗହଳି ଥିବା ବସ୍ ଭିତରେ ବାଡ଼େଇ ପିଟି ହୋଇ ୩ ଜଣ ଯାତ୍ରୀ ରକ୍ତାକ୍ତ ହୋଇପଡ଼ିଛନ୍ତି। ଯାତ୍ରୀମାନେ ଏକାଠି ହୋଇ ବସ୍ ଚାଳକକୁ କାବୁ କରିନଥିଲେ, ଆହୁରି ବଡ଼ ଧରଣର ଅଘଟଣ ଘଟିଥାଆନ୍ତା ବୋଲି କୁହାଯାଉଛି। ଆଜି ସକାଳ ଭିଏସ୍ଏସ୍ନଗର ଅଞ୍ଚଳରେ ଘଟିଥିବା ଏଭଳି କାଣ୍ଡକୁ ନେଇ ଆଜି ସମଗ୍ର ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ରୁଟ୍ ନମ୍ବର-୨୫(ରଙ୍ଗମାଟିଆ - ଡୁମୁଡ଼ୁମା) ମୋ’ ବସ୍(ଓଡ଼ି ୩୩ ୟୁ ୭୩୪୧) ରଙ୍ଗମାଟିଆ ବେ’ରୁ ଯାତ୍ରୀମାନଙ୍କୁ ଉଠାଇ ରସୁଲଗଡ଼ ଅଭିମୁଖେ ଯାଉଥିଲା। ବସ୍ଟି ଭିଏସ୍ଏସ୍ନଗର କଲ୍ୟାଣ ମଣ୍ଡପ ଅତିକ୍ରମ କଲା ବେଳେ ଡିଏଲ୍ କଲୋନିରେ ରହୁଥିବା ଦଶମ ଶ୍ରେଣୀ ଛାତ୍ର ସ୍ଥାନୀୟ ଏକ ଘରୋଇ ସ୍କୁଲ୍କୁ ସାଇକେଲ ଯୋଗେ ଆସୁଥିଲେ। ଛାତ୍ରଜଣକ କଲ୍ୟାଣ ମଣ୍ଡପ ସମ୍ମୁଖ ରାସ୍ତା ଅତିକ୍ରମ କରିବାକୁ ଯାଉଥିବା ବେଳେ ଦ୍ରୁତବେଗରେ ଆସୁଥିବା ବସ୍ଟି ତାଙ୍କୁ ଧକ୍କା ଦେଇଥିଲା। ଛାତ୍ର ଜଣକ ଛିଟିକି ତଳେ ପଡ଼ିଯାଇଥିଲେ। ମାତ୍ର ବସ୍ ଚାଳକ ଗାଡ଼ି ନ ରଖି ଆହୁରି ଦ୍ରୁତଗତିରେ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ବସ୍ ଭିତରେ ବହୁ ଯାତ୍ରୀ ଛିଡ଼ା ହୋଇଥିବାରୁ ସେମାନେ ଭାରସାମ୍ୟ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଲୁହା ରେଲିଙ୍ଗ୍ରେ ମାଡ଼ ହୋଇ ଆହତ ହୋଇଥିଲା। ସେମାନଙ୍କ ମୁଣ୍ଡ ଓ ମୁହଁ ଫାଟି ରକ୍ତ ବାହାରିଥିଲା।
ଫଳରେ ବସ୍ ଭିତରେ ଅନ୍ୟ ଯାତ୍ରୀମାନେ ଉତ୍କ୍ଷିପ୍ତ ହୋଇ ବସ୍ ଚାଳକକୁ ଧମକ ଦେଇ ଅଟକାଇବାକୁ କହିଥିଲେ। ଭୟରେ ଚାଳକ ବସ୍କୁ ଅଟକାଇ କୌଶଳ କରି ସେଠାରୁ ଚମ୍ପଟ ମାରିବାକୁ ବସିଥିଲେ। ମାତ୍ର ଲୋକମାନେ ବସ୍ ଡ୍ରାଇଭର୍କୁ କାବୁ କରିଥିଲେ। ସ୍ଥାନୀୟ ଲୋକମାନେ ଆହତ ଛାତ୍ରଙ୍କୁ ପ୍ରଥମେ ଭିଏସ୍ଏସ୍ ନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ଛାତ୍ରଙ୍କ ଗୋଡ଼ରେ ହାଡ ଭାଙ୍ଗିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଛାତ୍ରଜଣକ ପ୍ରି’ ବୋର୍ଡ ପରୀକ୍ଷା ପାଇଁ ସ୍କୁଲ୍କୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଲୋକେ କହିଛନ୍ତି। ଏଣେ ଲୋକେ ବସ୍ ଚାଳକଙ୍କୁ ପୁଲିସ ଜିମା ଦେଇଥିଲେ। ଘଟଣାସ୍ଥଳରୁ ପୁଲିସ ବସ୍କୁ ଜବତ କରି ଥାନାକୁ ନେବା ସହ ଡ୍ରାଇଭର୍ଙ୍କୁ ଥାନାରେ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା ଏବଂ ସନ୍ଧ୍ୟାରେ ଛାଡ଼ିଦେଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜ୍ମେଣ୍ଟ୍ ଓ ପ୍ରଭୁଜୀ ସ୍କୁଲ୍ ରହିଛି ଏବଂ ସେହିସ୍ଥାନରେ ସତ୍ସଙ୍ଗବିହାର ଓଭରବ୍ରିଜ୍ ଶେଷ ହୋଇଛି। ଫଳରେ ଦ୍ରୁତବେଗରେ ଆସୁଥିବା କାର୍, ବାଇକ୍ଗୁଡ଼ିକ ଅଧିକାଂଶ ସମୟରେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟୁଛି। ତେଣୁ ଏଠାରେ ସ୍ପିଡ୍ ବ୍ରେକର୍ ନିର୍ମାଣ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି।