ଶୂନ୍ୟରେ ଉଡ଼ିଲା କାର୍‌, ସିରିଜ୍‌ ଦୁର୍ଘଟଣା: ୨ କାର୍‌, ସ୍କୁଟି ଚୂରମାର୍‌, ୨ ଗୁରୁତର

ଭୁବନେଶ୍ବର: ଶୂନ୍ୟରେ ଉଡ଼ିଲା ୱାଗ୍‌ନର୍‌(ଓଆର୍‌-୦୨-ବିଭି-୯୦୦୮)କାର୍‌। କେହି କିଛି ବୁଝିବା ପୂର୍ବରୁ ବିପରୀତ ଦିଗରୁ ଆସୁଥିବା ସ୍ବିଫ୍ଟ କାର(ଓଆର୍‌-୦୨-ବିଏ-୬୩୯୯)କୁ ଧକ୍କା ଦେଇଥିଲା। ପରେ ଏକାଧିକ ଗାଡ଼ିକୁ ଧକ୍କା ଦେଇ ଡିଭାଡର୍‌ରେ ପିଟି ହୋଇ ଅଟକି ଯାଇଥିଲା। ଦୁର୍ଘଟଣାରେ ସ୍ବିଫ୍ଟ ଚାଳକ ପ୍ରଫୁଲ୍ଲ କୁମାର ଦାସ(୫୮) ଓ ୱାଗନର୍‌ ଚାଳକ ଆର୍ଯ୍ୟନ ଶାସମଲ(୨୫) ଗୁରୁତର ଆହତ ହୋଇଥିବା ବେଳେ ସ୍କୁଟି(ଓଡି-୨୫-ଏଫ୍‌-୧୨୬୦)ରେ ଥିବା ୨ଯୁବକ ସୁବଳ ଦଳେଇ(୨୮) ଓ ସନ୍ତୋଷ ପଣ୍ଡା(୩୬) ଆହତ ହୋଇଛନ୍ତି। ପ୍ରଫୁଲ୍ଲଙ୍କ ଘର କଳିଙ୍ଗନଗର, ଅର୍ଯ୍ୟନଙ୍କ ଘର ନୂଆପଲ୍ଲୀ, ସୁବଳ ଧର୍ମବିହାରର ହୋଇଥିବା ବେଳେ ସନ୍ତୋଷଙ୍କ ଘର ଜାଗମରାରେ ବୋଲି ଜଣାପଡ଼ିଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜୟଦେବ ବିହାର ପଟୁ ରସୁଲଗଡ଼କୁ ଦ୍ରୁତ ଗତିରେ ଆସୁଥିଲା ୱାଗନ୍‌ଆର୍‌ କାର୍‌। ମହାରାଜା ହଲ୍‌ ସମ୍ମୁଖ ଓଭରବ୍ରିଜ୍‌ରେ ୱାଗନର୍‌ଟି ଭାରସାମ୍ୟ ହରାଇ ମଝି ଡିଭାଇଡର୍‌ରେ ଧକ୍କା ହୋଇଥିଲା। ପରେ ପାଖାପାଖି ୧୦ଫୁଟ୍‌ ଉପରକୁ ଉଠିଯାଇ ବିପରୀତ ଦିଗରୁ ଆସୁଥିବା ସ୍ବିଫ୍ଟ କାର୍‌ ଉପରକୁ ମାଡ଼ିଯାଇଥିଲା। ଏହାପରେ କାର୍‌ଟି ଓଲଟିପଡ଼ି ପାଖାପାଖି ୧୫ ମିଟର ଘୋଷାଡ଼ି ହୋଇ ଗୋଟିଏ ସ୍କୁଟି, ଟ୍ରକ୍‌ ଏଭଳି ଏକାଧିକ ଗାଡ଼ିକୁ ଧକ୍କା ଦେଇ ଡିଭାଇଡର୍‌ରେ ପିଟିହୋଇ ଅଟକିଯାଇଥିଲା। ଧକ୍କା ଯୋଗୁଁ ସ୍ବିଫ୍ଟ କାର୍‌ଟି ଚୂରମାର୍‌ ହୋଇଯାଇଛି। ଚାଳକ ଜଣଙ୍କ କାର୍‌ ଭିତରେ ଚାପିହୋଇ ରହିଯାଇଥିଲେ। ସ୍କୁଟିଚାଳକ ଦ୍ବୟ ଗାଡ଼ିରୁ ଛିଟିକି କିଛିବାଟ ଦୂରରେ ପଡ଼ିଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ୱାଗନର୍‌ରେ ଥିବା ୪ଜଣ ଯୁବକ ପଛକାଚ ଭାଙ୍ଗି ବାହାରକୁ ଚାଲି ଆସିଥିଲେ। ହେଲେ ଆର୍ଯ୍ୟନଙ୍କ ଡାହାଣ ଗୋଡ଼ ଓ ହାତ ଭାଙ୍ଗି ଯାଇଥିବାରୁ ସେ ଗୁରୁତର ଅବସ୍ଥାରେ ପଡ଼ିରହିଥିବା ବେଳେ ଅନ୍ୟ ତିନିଜଣ ଫେରାର୍‌ ହୋଇଯାଇଥିଲେ। ସ୍କୁଟିରେ ଥିବା ସୁବଳ ଓ ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ବିଫ୍ଟ ଚାଳକ ପ୍ରଫୁଲ୍ଲ କାର୍‌ ଭିତରେ ଚାପି ହୋଇ ରହିଥିଲେ। ପୁଲିସ ଆର୍ଯ୍ୟନ, ସୁବଳ ଓ ସନ୍ତୋଷଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ପ୍ରଫୁଲ୍ଲଙ୍କୁ କାରରୁ ବାହାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସନ୍‌ସାଇନ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ୱାଗନର୍‌ରେ ଥିବା ଯୁବକମାନେ ନିଶାସକ୍ତ ଥିବା କୁହାଯାଉଛି। ଏପରିକି କାର୍‌ରୁ କେତୋଟି ମଦ ବୋତଲ୍‌ ବାହାରିଥିବା ସେମାନେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର