ହଂସାପଳ ବସ୍‌ଷ୍ଟାଣ୍ଡ୍‌ରେ ଦୁର୍ଘଟଣା ମାମଲା: ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ କର: ହାଇକୋର୍ଟ

ଭୁବନେଶ୍ବର : ୨୦୨୧ ସେପ୍ଟେମ୍ବର ୮। ମଞ୍ଚେଶ୍ବର ଚକେଇସିହାଣି ଗ୍ରାମର ସୁବ୍ରତ ଜେନା ଓ ଆଶିଷ ଜେନା ବସ୍‌ରୁ ପାର୍ସଲ ଆଣିବା ପାଇଁ ହଂସପାଳସ୍ଥିତ ବସ୍‌ଷ୍ଟାଣ୍ଡ୍‌ରେ ଅପେକ୍ଷା କରିଥିଲେ। ବେପରୱା ଭାବେ ଗାଡ଼ି ଚାଳନା କରି ଏକ ବୋଲେରୋ(ଓଡି ୦୨ଏମ୍ ୨୭୩୬) ସିଧାସଳଖ ସୁବ୍ରତ ଓ ଆଶିଷଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ସୁବ୍ରତଙ୍କର ମୃତ୍ୟୁ ଘଟିଥିବା ବେଳେ ଆଶିଷ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ଏହି ଘଟଣାରେ ସୁବ୍ରତଙ୍କ ବାପା ସୋମନାଥ ତା’ ପରଦିନ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ସୁବ୍ରତଙ୍କ ଉପରେ ଗାଡ଼ି ଚଢ଼ାଇଥିବା ବୋଲେରୋର ନମ୍ବର୍ ଥିବା ସତ୍ତ୍ବେ ମଞ୍ଚେଶ୍ବର ଥାନା ପୁଲିସ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଦୁର୍ଘଟଣାକୁ ଦୀର୍ଘ ୧୧ମାସ ବିତିଯାଇଥିଲେ ବି ମାମଲାର ତଦନ୍ତକାରୀ ଅଧିକାରୀ ନା ଗାଡ଼ି ଜବତ କରିଛନ୍ତି ନା ଚାଳକକୁ ଧରିପାରିଛନ୍ତି। ଏହାକୁ କେନ୍ଦ୍ର କରି ସୁବ୍ରତଙ୍କ ବାପା ସୋମନାଥ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପିଟିସନ୍‌କୁ ଗ୍ରହଣ କରି ମାମଲାର ତର୍ଜମା କରି ଅଭିଯୋଗକାରୀଙ୍କୁ ଭୁବନେଶ୍ବର ଡିସିପିଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ୨ ସପ୍ତାହ ମଧ୍ୟରେ ମାମଲା ରୁଜୁ କରି ୬ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଦୁର୍ଘଟଣାକୁ ଦୀର୍ଘ ୧୧ମାସ ବିତିଯାଇଥିଲେ ବି ମଞ୍ଚେଶ୍ବର ଥାନା ପୁଲିସ କେବଳ ମାମଲା ରୁଜୁ କରି ବସିଥିଲା। ପାଖରେ ଗାଡ଼ି ନମ୍ବରଠୁ ଆରମ୍ଭ କରି ନିଶ୍ଚିତ ମରଣମୁହଁରୁ ବର୍ତ୍ତିଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଆଶିଷର ବୟାନ ମଧ୍ୟ ଥିଲା। ଏପରି ସ୍ଥଳେ ମଞ୍ଚେଶ୍ବର ଥାନା ପୁଲିସର କାର୍ଯ୍ୟାନୁଷ୍ଠାନ ନ ନେବା ସଂପୃକ୍ତ ଅଧିକାରୀଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ମାମଲାଟି ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କ ପାଖରେ ପହଞ୍ଚିଛି। ତେବେ ୧୧ମାସ ମଧ୍ୟରେ ଯେଉଁ ଥାନା ପୁଲିସ ନ୍ୟାୟ ଦେଇପାରିନଥିଲା ୪୨ଦିନ ଭିତରେ କେମିତି ତଦନ୍ତ କରି ପୁଅକୁ ନ୍ୟାୟ ଦେବେ ସେ ନେଇ ସୋମନାଥ ଆଶଙ୍କା ପ୍ରକଟ କରିଛନ୍ତି।

କେବଳ ଗୋଟିଏ ଘଟଣା ନୁହେଁ, ରାଜଧାନୀରେ ପ୍ରତିଦିନ ଘଟୁଥିବା ଏହିଭଳି ମାଳମାଳ ଦୁର୍ଘଟଣାରେ ପୁଲିସ କେବଳ ନାମକୁ ମାତ୍ର ମାମଲା ରୁଜୁ କରି କାମ ସାରିଦେଉଛି। ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେଉଛନ୍ତି। ନିକଟରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ମଧ୍ୟ ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଜଣେ ସାଇକଲ୍ ଆରୋହୀଙ୍କୁ ମୋ’ ବସ ଧକ୍କା ଦେଇଥିଲା। ସାଇକଲ୍ ଆରୋହୀ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲା। ଆଉ ଏହି ଘଟଣାରେ ପୁଲିସ ମୋ’ ବସ୍‌କୁ କେବଳ ନୋଟିସ୍ କରି କାମ ସାରିଦେଇଛି। ନା ବସ୍‌ଚାଳକକୁ ଗିରଫ କରୁଛି ନା ବସ୍ ଜବତ କରିଛି।

ସମ୍ବନ୍ଧିତ ଖବର