ଗୋଡ଼ ହରାଇଲେ, ରୋଜଗାର ଗଲା

ଦୁର୍ଘଟଣା ବଦଳାଇଦେଲା ଯୁବକଙ୍କ ଜୀବନ

ବଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ମକୁନ୍ଦାଶପୁରର ଅଞ୍ଚଳର ଯୁବକ ଏସ୍‌ କେ ନିୟାମ୍‌ତୁଲ୍ଲା ଓରଫ୍‌ ବାବୁ(୩୪)। ଭୁବନେଶ୍ୱର ଗଙ୍ଗନଗରରେ ଚିକେନ୍‌ କାଉଣ୍ଟର୍‌ କରି ଦୁଇ ପଇସା ରୋଜଗାର କରିବା ସହ ପରିବାରକୁ ବେଶ୍‌ ହସଖୁସିରେ ଚଳାଉଥିଲେ। ପରିବାର କହିଲେ ପତ୍ନୀ ସହ ୨ ଛୋଟ ଛୋଟ ଝିଅ। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ଗତ ଜାନୁଆରି ମାସ ୨୦ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପୋଖରୀପୁଟ ନିକଟରେ ତାଙ୍କୁ ଏକ ଅଜଣା ୪ଚକିଆ ଗାଡ଼ି ଧକ୍କା ଦେଲା। ଏହା ପରଠାରୁ ବଦଳିଯାଇଛି ବାବୁଙ୍କ ହସଖୁସିର ଜୀବନ। ଯୁବ ଅବସ୍ଥାରେ ତାଙ୍କ ହସଖୁସିର ସଂସାରରେ ଘୋଟିଯାଇଛି କଳାବାଦଲ। ବାବୁ ଏବେ ଆଉ ବିଛଣା ଛାଡ଼ୁ ନାହାନ୍ତି। ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼ଟି ହରାଇବା ସହ ରୋଜଗାର ହରାଇ ଏବେ ଘରେ ବସିଛନ୍ତି। ଗୋଡ଼ରେ ବଡ଼ ଧରଣର ଅପରେସନ୍‌ କରାଯାଇ ଗୋଡ଼ଟିକୁ କଟାଯାଇଛି। ଏବେ ବି ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କ ଚିକିତ୍ସା ଚାଲିଛି। ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ୮୦ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଆର୍ଥିକ ଅବସ୍ଥା ଭଲ ନଥିବାରୁ ବନ୍ଧୁବାନ୍ଧବ,ସାଙ୍ଗସାଥୀ ଓ ଗାଁ ଲୋକେ ସମସ୍ତେ ତାଙ୍କ ବିପଦ ସମୟରେ ବାବୁଙ୍କ ପାଇଁ ଛିଡ଼ା ହୋଇଛନ୍ତି। ବାଲିପାଟଣା ବ୍ଲକ ଅଧ୍ୟକ୍ଷା ମନୀଷା ଚୌଧୁରୀ ଓ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ବାବୁଙ୍କ ପରିବାରକୁ ୩୦ହଜାର ଟଙ୍କାର ସହୟତା ରାଶି ପ୍ରଦାନ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକତା ମୁତାବକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଏକ ସ୍ୱୟଂଚାଳିତ ୩ ଚକିଆ ଯାନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଗଲେ ବାବୁ ପୁନର୍ବାର ତାଙ୍କ ବ୍ୟବସାୟ କରି ପରିବାର ଚଳାଇପାରିବେ ବୋଲି ନିବେଦନ କରିଛନ୍ତି। ଅଧ୍ୟକ୍ଷାଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ୱାରିକାନଥ ଦାଶ, ଅଜିତ୍‌ (କାଳୁ) ପାଇକରାୟ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ସେନାପତିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର