ଜେଲ୍‌ ଯିବା ପରେ ବି ଚେତୁନାହାନ୍ତି: ଗାଡ଼ି ଚକା ତଳେ ଗଲା କୁକୁର ଓ ୪ ଛୁଆଙ୍କ ଜୀବନ

ଚନ୍ଦ୍ରଶେଖରପୁର: ୪ କୁକୁର ଛୁଆଙ୍କୁ ଗାଡ଼ି ଚଢ଼ାଇ ମାରିବା ଅଭିଯୋଗରେ କାର୍‌ ଚାଳକ ଗିରଫ ‌ହୋଇ ଜେଲ୍‌ ଯିବା ଘଟଣାକୁ ୧୫ ଦିନ ନ ପୂରୁଣୁ ରାଜଧାନୀରେ ପୁଣି ଥରେ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଜି ୫କୁକୁରଙ୍କ ଜୀବନ ଯାଇଛି। ପଟିଆ କଲେଜ୍ ରୋଡ ଓ ପଳାଶୁଣି ପ୍ରାଚୀବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ପଟିଆ କଲେଜ୍ ରୋଡରେ ଏକ ଦ୍ରୁତଗାମୀ ଟିପର୍ ରାସ୍ତା କଡ଼ରେ ଥିବା ‌ମା’ କୁକୁର ଓ ଦୁଇଟି ଛୁଆଙ୍କୁ ଗାଡ଼ି ଚଢ଼ାଇ ଚାଲି ଯାଇଥିଲା। ଏହି ଘଟଣା ଦେଖି ସ୍ଥାନୀୟ ଲୋକ ଓ ସାମ୍ବାଦିକ ବିଦ୍ୟାଧର ବାରିକ ପୁଲିସ୍‌କୁ ସୂଚନା ଦେଇଥ‌ିଲେ। ପିସିଆର୍ ପହଞ୍ଚି ଆଖପାଖ ଅଞ୍ଚଳରେ ଉକ୍ତ ଗାଡ଼ିକୁ ଖୋଜି ନିରାଶ ହୋଇଥିଲା। ଗାଡ଼ି ଚାଳକଜଣକ ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଆଜି ଅପରାହ୍‌ଣ ସାଢ଼େ ଦୁଇଟା ବେଳେ ପଳାଶୁଣି ପ୍ରଚୀବିହାର ଅଞ୍ଚଳରେ ଏକ ଟାଟା ଏସ୍‌ ଦୁଇଟି କୁକୁର ଛୁଆଙ୍କ ଉପରେ ଗାଡ଼ି ମଡ଼ାଇ ଚାଲି ଯାଇଥିଲା। ଘଟଣାସ୍ଥଳରେ କୁକୁର ଛୁଆ ଦୁଇଟି ମରି ପଡ଼ିଥିବା ବେଳେ ମା’ କୁକୁର ସେମାନଙ୍କ ନିକଟରେ ଦୀର୍ଘ ସମୟ ଧରି ବସି ରହିଥିଲା। ଏପରିକି ସେହି ବାଟ ଦେଇ ଯାଉଥିବା କୌଣସି ଲୋକକୁ ଯିବାକୁ ଦେଉ ନଥିଲା। ଅପରପକ୍ଷରେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଗାଡ଼ି ଚାଳକଙ୍କ ସପକ୍ଷରେ ଯୁକ୍ତି କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଯୁବତୀଙ୍କ ଏଭଳି ଆଚରଣକୁ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର