ନିର୍ମାଣାଧୀନ ‌ଡ୍ରେନ୍ ମୁକୁଳା ଛାଡ଼ି ଠିକାଦାର ଛୁ, ସପ୍ତାହରେ ୪ ଦୁର୍ଘଟଣା

ଚନ୍ଦ୍ରଶେଖରପୁର : ନିର୍ମାଣାଧୀନ ୧୨ଫୁଟ୍‌ର ଗଭୀର ଡ୍ରେନ୍‌କୁ ମୁକୁଳା ଛାଡ଼ି ଠିକାଦାର ଚାଲିଯିବା ପରେ ଗତ ସପ୍ତାହକ ମଧ୍ୟରେ ସେଠାରେ ୪ଟି ଦୁର୍ଘଟଣା ଘଟିଲାଣି। ଏହି ଡ୍ରେନ୍‌ରେ ପଡ଼ି ୩ଜଣ ଯୁବକ ଓ ଗୋଟିଏ ଷଣ୍ଢ ଗୁରୁତର ହୋଇଛନ୍ତି। ଇନ୍‌ଫୋସିଟି-ଶିଖରଚଣ୍ଡୀ ପାହାଡ଼ ରାସ୍ତାକଡ଼ରେ ଥିବା ଏହି ଡ୍ରେନ୍‌ ଏବେ ମରଣଯନ୍ତା ପାଲଟିଛି। ଉକ୍ତ ସ୍ଥାନଟି ଅନ୍ଧାରିଆ। ବତ୍ୟା ପରଠାରୁ ବିଦ୍ୟୁତ୍ ଖୁଣ୍ଟ ମରାମତି ହୋଇନାହିଁ। ଡ୍ରେନ୍ ରାସ୍ତାକୁ ଲାଗି ରହିଥିବାରୁ କିଛି ଦିନ ତଳେ ଏକ ବାଇକ୍ ତା’ ଭିତରେ ଗଳି ପଡ଼ିଥିଲା। ଏଥି‌ରେ ବାଇକ୍‌ ଚାଳକ ପ୍ରକାଶ କୁମାର ମାହାପାତ୍ର ଓ ପଛରେ ବସିଥିବା ସନ୍ତୋଷ କୁମାର ସାହୁ ଗୁରୁତର ଆହତ ହୋଇଥିଲେ। ସେହିଭଳି ଗତ ସୋମବାର ସଂଧ୍ୟାରେ ଶିଖରଚଣ୍ଡୀ ଅଞ୍ଚଳର ଏମ୍. ଶ୍ରୀନିବାସ ନାମକ ଜଣେ ଯୁବକ ବାଇକ୍‌ ସହ ଡ୍ରେନ୍‌ରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏହାବ୍ୟତୀତ ସେହିଦିନ ସଂଧ୍ୟାରେ ଏକ ଷଣ୍ଢ ଡ୍ରେନ୍ ଗାତରେ ଗଳି ପଡ଼ିଥିଲା।।ଚନ୍ଦ୍ରଶେଖରପୁର ଅଗ୍ନିଶମ କର୍ମଚାରୀ ଓ କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଷଣ୍ଢଟିକୁ ଉଦ୍ଧାର କରାଯାଇଥିଲା। ଉକ୍ତ ସ୍ଥାନରେ ଡ୍ରେନ୍ ମୁକୁଳା ରହିଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସ୍ଥାନୀୟ ଇନ୍‌ଫୋସିଟି ଥାନା ପୁଲିସ୍ ଅଧିକାରୀ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ତାଗିଦ୍‌ କଲେ କିମ୍ବା କଠୋର୍‌ କାର୍ଯ୍ୟାନୁଷ୍ଠାନ ନେଲେ ଠିକାଦାର ଡ୍ରେନ୍ ଉପରେ ସିମେଣ୍ଟ୍ ସ୍ଲାବ୍‌ କିମ୍ବା ବାଉଁଶ ବାଡ଼ ପୋତା ଯାଇପାରନ୍ତା ବୋଲି ଲୋକମାନେ କହିଛନ୍ତି।

ସମ୍ବନ୍ଧିତ ଖବର