ଅଳ୍ପକେ ବର୍ତିଲେ ୪ ଭିକାରି, ହାଇୱା ଧକ୍କାରେ ବସ୍ ଷ୍ଟପେଜ୍ ଚୂର୍‌ମାର୍‌

ଚନ୍ଦ୍ରଶେଖରପୁର: ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଇବାର ପରିଣତି କ’ଣ ହୋଇପାରେ ତାହା ଦେଖାଯାଇଛି ଗତକାଲି ବିଳମ୍ବିତ ରାତିରେ। ଡ଼ମଣା ଶୈଳଶ୍ରୀବିହାର ରାସ୍ତାରେ ଥିବା ଶୈଳଶ୍ରୀବିହାର ଫେଜ୍୨ ବସ୍ ଷ୍ଟପେଜ୍‌କୁ ଗତକାଲି ଜଣେ ନିଶାସକ୍ତ ବାଲି ବୋଝେଇ ହାଇୱା (ଓଡ଼ି-୦୨ଏକିୟୁ୪୭୭୫) ଗାଡ଼ି ଚାଳକ ଧକ୍କାଦେଇ ଭାଙ୍ଗି ଚୂରମାର୍ କରିଦେଇଛି। କିନ୍ତୁ ସୌଭାଗ୍ୟବଶତଃ ଷ୍ଟପେଜ୍‌ରେ ଶୋଇଥିବା ୪ଜଣ ଭିକାରି ଅଳ୍ପକେ ବର୍ତି ଯାଇଥିଲେ। ହାଇୱା ଟ୍ରକ୍‌ରେ ବୋଝେଇ ହୋଇଥିବା ବାଲି ସେମାନଙ୍କ ଉପରେ ଓଜାଡ଼ି ହୋଇଯାଇଥିଲା। ଘଟଣାସ୍ଥଳରୁ ତୁରନ୍ତ ସେମାନେ ହଟି ଯିବାରୁ ବର୍ତି ଯାଇଥିଲେ। ଏମିତି ଘଟଣା ଗତକାଲି ବିଳମ୍ବିତ ରାତି ସାଢ଼ ୩ଟା ବେଳେ ହୋଇଥିବା ଜଣାପଡ଼ିଛି। ସକାଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ କ୍ରେନ୍ ଯୋଗ ବାହାର କରିବା ସହ ଗାଡ଼ିକୁ ଜବତକରି ଥାନାକୁ ଆଣିଥିଲା। ପୁଲିସ୍ ସୂଚନା ଅନୁଯାୟୀ ଦୁର୍ଘଟଣାପରେ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଛି। ନିକଟ ଅଞ୍ଚଳରେ ଚାଲିଥିବା ଏକ କନ୍‌ଷ୍ଟ୍ରକ୍ସନ୍ କାମରେ ହାଇୱା ବାଲି ପହଞ୍ଚାଇବା କାମରେ ଲାଗିଥିଲା। ଚାଳକ ଜଣକ ନିଶାସକ୍ତ ଥିବାରୁ ଏପରି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର