ହାତରେ ବାଣ ଫୁଟି ଯୁବକ ଗୁରୁତର
ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଗୋଲାମହମ୍ମଦ ପାଟଣା ଗ୍ରାମରେ ଦୀପାବଳିରେ ଅଘଟଣ ଘଟିଛି। ହାତରେ ବାଣ ଫୁଟିଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଯୁବକଙ୍କ ବାମହାତ ପାପୁଲିଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। ସେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଓରଫ୍ ଲିଣ୍ଟା (୨୫)ବାଣ ଫୁଟାଉଥିଲେ। ଅସାବଧାନତାବଶତଃ ତାଙ୍କ ବାମ ହାତରେ ବାଣ ଫୁଟି ଯାଇଥିଲା। ଫଳରେ ତାଙ୍କ ବାମ ହାତ ପାପୁଲି ମାଂସ ସଂପୂର୍ଣ୍ଣ ଉଡ଼ିଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।
ଭାଇଭଉଣୀ ଆହତ, ଘର ଜଳିଗଲା
ଚନ୍ଦ୍ରଶେଖରପୁର: ଦୀପାବଳିରେ ବାଣ ଫୁଟାଇ ଭାଇ-ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପଟିଆ ନିକଟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି। ସେମାନେ ହେଲେ, ଚନ୍ଦକା ଥାନା ଅଧୀନ ଦୋଳୁଆ ନିକଟ ବେହେରାସାହିର ସନାତନ ବେହେରାଙ୍କ ପୁଅ ଦେବତା ବେହେରା (୯) ଓ ଝିଅ ଅନୀତା ବେହେରା(୧୨)। ଗତକାଲି ରାତିରେ ଉଭୟ ବାଣ ଫୁଟାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପରିବାର ଲୋକେ ୧୦୮ ଆମ୍ବୁଲାନସ୍ରେ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତି କରାଇଥିଲେ। ସେମାନଙ୍କ ସ୍ୱାସ୍ଥବସ୍ଥା ଭଲ ଥିବା ସୂଚନା ମଳିଛି। ସେହିଭଳି ଅଳଶୁଆ ନିକଟ ଆଦିବାସୀ ବସ୍ତିରେ ଏକ ରକେଟ୍ ବାଣ ପଶିଯିବାରୁ ସୁଖରାମ ମାଝିିଙ୍କ ଝୁମ୍ପୁଡ଼ି ଘରେ ନିଆଁ ଲାଗି ଯାଇଥିଲା। ତେବେ ବର୍ଷା ହେଉଥିବା ହେତୁ ଘର ଉପରେ ପଡ଼ିଥିବା ପଲିଥିନ୍ଟି ଜଳିଯାଇ ନିଆଁ ଲିଭିଯାଇଥିଲା। ଏହି ଘଟଣାରେ କାହାର କୌଣସ କ୍ଷତି ହୋଇ ନଥିଲେ ମଧ୍ୟ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।