ହାଇୱା ଧକ୍କାରେ କ୍ୟାମେରା ଖୁଣ୍ଟ ଭାଙ୍ଗିଲା

ଭୁବନେଶ୍ବର: ହାଇୱା ଧକ୍କାରେ କ୍ରାଉନ୍‌ ହୋଟେଲ୍‌ ନିକଟ ଜାତୀୟ ରାଜପଥରେ ସ୍ପିଡ୍‌ ଯାଞ୍ଚ ପାଇଁ ଲାଗିଥିବା କ୍ୟାମେରା ଗେଟ୍‌ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ଗେଟ୍‌ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିବାରୁ ଆଜି ରାତିରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଖୁଣ୍ଟିକୁ ଉଠାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ରବିବାର ରାତି ପ୍ରାୟ ସାଢ଼େ୧୦ଟା ସମୟରେ ବରମୁଣ୍ଡା ପଟୁ ଆସୁଥିବା ଏକ ହାଇୱା କ୍ରାଉନ୍‌ ହୋଟେଲ୍‌ ନିକଟରେ ବାଲି ପକାଇଥିଲା। ନିଶାରେ ଥିବା ଚାଳକ ଡାଲା ଖୋଲା କରି ଦ୍ରୁତ ଗତିରେ ଟ୍ରକ୍‌ ଚଲାଇ ରସୁଲଗଡ଼୍ ଆଡ଼କୁ ଯାଉଥିଲେ। ଜାଣି ନପାରି ଆଗରେ ଲାଗିଥିବା କ୍ୟାମେରା ଗେଟ୍‌ରେ ଡାଲାମାଡ଼ ହୋଇଥିଲା। ଗେଟ୍‌ଟି ଭାଙ୍ଗି ତଳେ ପଡ଼ିଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର