ଖଣ୍ଡଗିରି: ଆଜି ସ୍ଥାନୀୟ ବରମୁଣ୍ଡା ଓ ଗଣ୍ଡମୁଣ୍ଡାରେ ପବିତ୍ର ଜାଗର ପର୍ବ ଅବସରରେ ଦୁଇ ଶିବ ମନ୍ଦିରରେ ଦୁଇଟି ଅଘଟଣ ଘଟି ଯାଇଛି। ବରମୁଣ୍ଡାରେ ଦୀପ ନିଅାଁରେ ଜଣେ ମହିଳା ପୋଡ଼ି ଯାଉ ଯାଉ ଅଳ୍ପକେ ବର୍ତି ଯାଇଛନ୍ତି। କିନ୍ତୁ ଗଣ୍ଡମୁଣ୍ଡାରେ ଯଜ୍ଞକୁଣ୍ଡ ନିଅାଁରେ ଯଜ୍ଞ ମଣ୍ଡପ ଜଳି ଯାଇଛି। ତେବେ ବଡ଼ ଧରଣର କ୍ଷୟକ୍ଷତି ଘଟିବା ପୂର୍ବରୁ ସବୁକିଛି ସୁରୁଖୁରୁରେ ଅନ୍ତ ହୋଇଛି। ଗଣ୍ଡମୁଣ୍ଡାସ୍ଥିତ ଶ୍ରୀ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ପରମ୍ପରା ଅନୁଯାୟୀ ପବିତ୍ର ଜାଗର ତିଥିରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହେଉଥିଲା। ଅପରାହ୍ଣ ପ୍ରାୟ ୪ଟାବେଳେ ଯଜ୍ଞ ପୂର୍ଣାହୁତି ପାଇଁ ପ୍ରସ୍ତୁତ ଚାଲିଥିଲା। ପୂର୍ଣାହୁତି ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା। ହଠାତ୍‌ ଯଜ୍ଞ କୁଣ୍ଡରୁ ନିଅାଁ ଉଠି ମଣ୍ଡପର ଛପରକୁ ଧରିଥିଲା। ନଡ଼ା ଛପରକୁ ନିଅାଁ ଧରିବା ମାତ୍ରେ ହୁତ୍‌ହୁତ୍‌ ହୋଇ ଜଳି ଉଠିଥିଲା। କେହି କିଛି କରିବା ପୂର୍ବରୁ ନିଅାଁ ପୁରା ମଣ୍ଡପର ଛପରକୁ ପୋଡ଼ି ପାଉଁଶ କରି ଦେଇଥିଲା। ଖାଲି ସେତିକି ନୁହେଁ ମନ୍ଦିର ବେଢ଼ାରେ ହୋଇଥିବା ଟେଣ୍ଟର କିଛି ଅଂଶ ମଧ୍ୟ ପୋଡ଼ି ଯାଇଥିଲା। ତେବେ ସାହାସର ସହ ପରିଚାଳନା କମିଟି ଓ ଭୁବନେଶ୍ୱର ସାଉଥ୍‌ େଓ୍ଵଲଫେୟାର୍‌ ଆସୋସିଏସନ୍‌ର କର୍ମକର୍ତାମାନେ ଲାଗି ପଡ଼ି ନିଅାଁକୁ ଆୟତ୍ତ କରିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ନିଅାଁ ଆୟତ୍ତ ହୋଇ ସାରିଥିଲା। ତେବେ ଯଜ୍ଞମଣ୍ଡପ ପାଉଁଶ ପାଲଟି ଯାଇଥିଲା। ସେହିଭଳି ସକାଳୁ ସକାଳୁ ବରମୁଣ୍ଡା ଶିବ ମନ୍ଦିରରେ ଜଣେ ମହିଳା ଦୀପ ନିଅାଁରେ ଆହତ ହୋଇଥିଲେ। ଦୀପ ଲଗାଉଥିବାବେଳେ ଅନ୍ୟ ଏକ ଦୀପର ନିଅାଁ ତାଙ୍କ ପଣତକାନିକୁ ଲାଗି ଯାଇଥିଲା। ଫଳରେ ମହିଳାଙ୍କ ପିଠି ପୋଡ଼ି ଯାଇଥିଲା। ତେବେ ଉପସ୍ଥିତ ଲୋକେ ନିଅାଁକୁ ଲିଭାଇବା ସହ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ।

Advertisment