ରାଜପଥରେ ଦୁର୍ଘଟଣା ଉଦ୍‌ବେଗଜନକ, ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ତନାଘନା

ଭୁବନେଶ୍ବର: ରାଜପଥରେ ବଢ଼ୁଥିବା ଦୁର୍ଘଟଣା ଉପରେ ରୋକ୍ ଲଗାଇବାରେ ବିଫଳ ଖୋର୍ଧା ଜିଲ୍ଲା ପ୍ରଶାସନକୁ ସୁପ୍ରିମକୋର୍ଟ କମିଟି ତୀବ୍ର ଭର୍ତ୍ସନା କରିଛନ୍ତି। ଏ ନେଇ କମିଟିରୁ ଏକ କଡ଼ା ଚିଠି ଆସିବା ପରେ ତନାଘନା ଆରମ୍ଭ ହୋଇଛି। ଆଜି ସଡ଼କ ସୁରକ୍ଷାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହ କିଭଳି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିବ, ସେନେଇ ମାନସ ମନ୍ଥନ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ପଳାସୁଣିଠାରୁ ବାଲୁଗାଁ ପର୍ଯ୍ୟନ୍ତ ରାଜପଥରେ କିଭଳି ଦୁର୍ଘଟଣା ରୋକା ଯାଇପାରିବ, ମୃତାହତଙ୍କ ସଂଖ୍ୟା କମା ଯାଇପାରିବ, ସେ ନେଇ ଆରଟିଓ, ଜାତୀୟ ରାଜପଥ, ପୁଲିସ ମିଳିତ ଭାବେ ଉଦ୍ୟମ କରିବାକୁ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଆଦେଶ ଅନୁଯାୟୀ, ବେପରୁଆ ଓ ନିଶାସକ୍ତ ଗାଡ଼ି ଚାଳନା, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ରେ କଥାବାର୍ତ୍ତା ହେଉଥିବା ଚାଳକ, ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କିଭଳି ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ‌ଦିଆଯାଇପାରିବ, ସେ ନେଇ ଗୁରୁତ୍ବାରୋପ କରାଯାଇଥିଲା। ଆହତଙ୍କୁ ମେଡିକାଲ ପହଞ୍ଚାଉଥିବା ବ୍ୟକ୍ତି ବା ‘ଗୁଡ୍‌ ସମରିଟାନ୍‌’ଙ୍କୁ ନିର୍ଦ୍ଦେଶ ମୁତାବକ କିଭଳି ଆର୍ଥିକ ପ୍ରୋତ୍ସାହନ ଶୀଘ୍ର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଣ୍ଡରପାସ୍‌ ନିର୍ମାଣ ପାଇଁ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା। ଏହାକୁ ଜାତୀୟ ରାଜପଥ ବିଭାଗକୁ ସୁପାରିସ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଏଡିଏମ୍‌ ଅରୁଣ ବେହେରା, ‌ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ଆରକେ ଜେନା, ଟ୍ରାଫିକ୍‌ ଏସିପି କେ. ପାଣିଗ୍ରାହୀ, ଆରଟିଓ ଭୁବନେଶ୍ବର-୨ ସଞ୍ଜୟ ବେହେରା, ସିଡିଏମ୍‌ଓ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ, ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ସୁଧାଂଶୁ ଦାସ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର