୩୧ ସୁଦ୍ଧା ବ୍ଲାକ୍‌ସ୍ପଟ୍‌ ତାଲିକା ଦେବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜପଥରେ ବଢ଼ି ଚାଲିଥିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ ନେଇ କମିସନରେଟ୍‌ ପୁଲିସର ମୁଣ୍ଡ ବ୍ୟଥା ବଢ଼ିଛି। ଆଜି ଏ ନେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି ସମୀକ୍ଷା କରିବା ସହ କଟକରୁ ଭୁବନେଶ୍ବର ଭିତରେ ଥିବା ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରି ତାଲିକା ଦେବାକୁ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଡିସିପି ଚଳିତ ମାସ ୩୧ ତାରିଖ ସୁଦ୍ଧା ତାଲିକା ଦାଖଲ କରିବାକୁ ନି‌ର୍ଦ୍ଦେଶ ରହିଛି। ବ୍ଲାକସ୍ପଟ୍‌ ବାବଦରେ ଅବଗତ ହେବା ପରେ ଦୁର୍ଘଟଣା ରୋକିବା ପାଇଁ ଏକ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ ହେବ ବୋଲି କମିସନର କହିଛନ୍ତି। ସେ କହିଛନ୍ତି, ଏବେ ଆମେ ଦୁର୍ଘଟଣା କମାଇବା ପାଇଁ କେତେକ ପଦକ୍ଷେପ ନେଉଛୁ। ତେବେ ଷ୍ଟପ୍‌ବୋର୍ଡ, ରମ୍ବଲର୍ସ ନିର୍ମାଣ ଛଡ଼ା ଦୁର୍ଘଟଣାଗୁଡ଼ିକୁ ତର୍ଜମା କରି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିବା ଜରୁରୀ ହୋଇଛି। ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ପରେ ହିଁ ଦୁର୍ଘଟଣା କମାଇବା ସହଜ ହେବ। ରାଜପଥରେ ଅନେକ ଦୁର୍ଘଟଣା ଫ୍ଲାଇ ଓଭରରେ ହିଁ ହେଉଛି। ଏଣୁ ଚିନ୍ତା କରିବାର ସମୟ ଆସିଛି। କେଉଁ କାରଣରୁ ଏହି ଜାଗାରେ ହେଉଛି ଜାଣିବା ପରେ ତାହାର ନିରାକରଣ ସମ୍ବନ୍ଧରେ ମାନସ ମନ୍ଥନ ହେବା ସହ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏ ନେଇ ଆଞ୍ଚଳିକ ପରିବହନ ବିଭାଗର ମଧ୍ୟ ସହଯୋଗ ନିଆଯିବ। ତେବେ ପ୍ରାଥମିକ ସ୍ତରରେ ଆଜି ଟ୍ରାଫିକ୍‌ ଡିସିପିଙ୍କ ସମେତ ଏସିପି ଓ ଇନ୍‌ସ୍‌ପେକ୍ଟରଙ୍କ ସହ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଅର୍ଥାତ୍‌ ଗୋଟିଏ ବର୍ଷରେ ରାସ୍ତା ଦୁର୍ଘଟଣାରେ ରାଜ୍ୟରେ ୪ହଜାର ୯ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୫ ହଜାର ୩ ଶହରେ ପହଞ୍ଚିଥିଲା। ୨୦୧୯ ବର୍ଷର ୫ମାସରେ ଦୁର୍ଘଟଣା ମୃତ୍ୟୁର ଯେଉଁ ପରିସଂଖ୍ୟାନ ରହିଛି ତାହା ଏହି ଦୁଇବର୍ଷର ରେକର୍ଡକୁ ଭାଙ୍ଗିବ ବୋଲି ଆ‌ଶଙ୍କା କରାଯାଉଛି। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର