ଖଣ୍ଡଗିରି: ମଙ୍ଗଳବାର ଯାଁଳା ଫାଣ୍ଡି ଅନ୍ତର୍ଗତ ତଳଖେତା-ଜଟଣୀ ରାସ୍ତାରେ ଗୋବିନ୍ଦପୁର ଗାଁର ମାନଗୋବିନ୍ଦ ବରାଳଙ୍କ ପୁଅ ଜଗନ୍ନାଥ(୩୪)ଙ୍କ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲଙ୍କାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ତଳଖେତା ଛକରେ ଥିବା ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ଭାଙ୍ଗି ପେଟି ପେଟି ମଦରେ ନିଆଁ ଲଗାଇ ଦେଇଥିଲେ। ମଦ ଦୋକାନ ପାଇଁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତାକୁ ଉଚ୍ଛେଦ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିବା ଶହଶହ ମହିଳା ଏହି କାଣ୍ଡ ଭିଆଇଥିଲେ। ପରେ ମଦ ଦୋକାନ ମାଲିକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦେବା ସହ ସବୁ ଦିନ ପାଇଁ ମଦ ଦୋକାନ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକ ଆନ୍ଦୋଳନରୁ ଓହରିଥିଲେ।
ଆଜି ଭୁବନେଶ୍ବର ଏମ୍ସରୁ ଜଗନ୍ନାଥଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ଗାଁକୁ ଅଣାଯାଇଥିଲା। ମୃତଦେହ ଆସିବା ପରେ ଯାଁଳା ପଞ୍ଚାୟତର ଓଗାଳପଡ଼ା, ରାଧାଚରଣପୁର ଓ ଛଣଘର ପଞ୍ଚାୟତର ଗୋବିନ୍ଦପୁର ଆଦି ଗାଁରୁ ଶହଶହ ଲୋକଙ୍କ ସୁଅ ଛୁଟିଥିଲା। ମହିଳାମାନେ ଅଧିକ ସଂଖ୍ୟାରେ ଏକାଠି ହୋଇଥିଲେ। ବିଜେପି ପକ୍ଷରୁ ଏହାକୁ ଏକ ପ୍ରସଙ୍ଗ କରି ଲୋକଙ୍କୁ ଏକାଠି କରାଯାଇଥିଲା। ପ୍ରଥମେ ମୃତଦେହକୁ ମଦ ଦୋକାନ ସମ୍ମୁଖ ରାସ୍ତାରେ ରଖି ମହିଳାମାନେ ଅବରୋଧ କରିଥିଲେ। ସ୍ଥାୟୀ ଭାବେ ମଦ ଦୋକାନ ଉଚ୍ଛେଦ ଓ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ରାସ୍ତା ବନ୍ଦ କରି ଦିଆଯାଇଥିଲା। ପ୍ରାୟ ୨ ଘଣ୍ଟା ବିତିବା ପରେ ବି କିଛି ସମାଧାନ ହୋଇ ପାରିନଥିଲା। ଶେଷରେ ନିଷ୍ପତ୍ତି ନେବାରେ ପ୍ରଶାସନର ବିଳମ୍ବ ଦେଖି ଉତ୍ତ୍ୟକ୍ତ ମହିଳାମାନେ ମଦ ଦୋକାନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଦୋକାନ ଭାଙ୍ଗି ଭିତରୁ ପେଟି ପେଟି ମଦ ବାହାର କରି ଆଣି ପୋଡ଼ି ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ଜଟଣୀ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଲୋକ ଆନ୍ଦୋଳନରୁ ଓହରିଥିଲେ। ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ମଦ ଦୋକାନ ହେବାଠାରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ରୁ ଅଧିକ ଯୁବକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତେଣୁ ଏହି ଦୋକାନ ବିରୋଧରେ ଲୋକଙ୍କ ଭିତରେ ଦୀର୍ଘ ଦିନରୁ ଅସନ୍ତୋଷ ଥିଲା। ଗତକାଲି ଜଗନ୍ନାଥଙ୍କ ମୃତ୍ୟୁ ପରେ ଲୋକଙ୍କ ଭିତରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା। ବିଜେପି ନେତା ସନ୍ତୋଷ ଜେନା, ବିଶ୍ବରଂଜନ ବଡ଼ଜେନା ଓ ଯାଁଳା ସରପଞ୍ଚ ପ୍ରଦୋଷ ଜେନାଙ୍କ ଡାକରାରେ ମହିଳାମାନେ ଏକାଠି ହୋଇଥିଲେ।
ଠିପି ବନ୍ଦ ବିଦେଶୀ ମଦ ଦୋକାନ ଭିତରେ ଆସ୍କାଫର୍ଟି!
ଆଜି ଏହି ଆନ୍ଦୋଳନ ବେଳେ ଏକ ବିସ୍ମୟକର ଘଟଣା ନଜରକୁ ଆସିଥିଲା। ମହିଳାମାନେ ଦୋକାନ ଭିତରୁ ମଦ ପେଟି ବାହାର କରିବା ବେଳେ ଦେଶୀ ଆସ୍କାଫର୍ଟି ପେଟି ମିଳିଥିଲା। ତେଣୁ ଏଠାରେ ବିଦେଶୀ ମଦ ସହ ଚୋରାରେ ଦେଶୀ ମଦ କାରବାର ହେଉଥିଲା ବୋଲି ଲୋକ ଅଭିଯୋଗ କରିଥିଲେ। ବିଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ମିଳିଥିବା ବେଳେ ଭିତରୁ ଦେଶୀ ମଦ କେମିତି ମିଳିଲା, ତାହାର ତଦନ୍ତ କରାଯାଉ ବୋଲି ପୁଲିସ ନିକଟରେ ବିକ୍ଷୋଭକାରୀମାନେ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Untitled-22-13.jpg)