ଭୁବନେଶ୍ବର: ସିଆର୍ପି ଛକ ଫ୍ଲାଏ ଓଭରବ୍ରିଜରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରେଲର ପଛରେ ଏକ ଟ୍ରକ୍ ପିଟି ଦେବାରୁ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ଫାରୁକ୍ ବୋଲି ଜଣାପଡ଼ିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଫାରୁକ୍ ଗାଡ଼ି ଭିତରେ ଚାପି ହୋଇ ଚିତ୍କାର କରୁଥିଲେ ମଧ୍ୟ ତାଙ୍କୁ ଜୀବନ୍ତ ବାହାର କରିବା ସମ୍ଭବ ହୋଇନାହିଁ। ଖବର ପାଇ ଓଡ୍ରାଫ୍ ଟିମ୍ ପହଞ୍ଚି ଗାଡ଼ିକୁ କାଟି ତାଙ୍କୁ ଉଦ୍ଧାର କରିବା ପାଇଁ ୨ ଘଣ୍ଟା ଲାଗି ଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ସହିତ ଗାଡ଼ରେ ବସିଥିବା ହେଲ୍ପର ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହେଲପର୍ଙ୍କ ପରିଚୟ ଜଣାପଡ଼ିନାହିଁ।
ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ଘଟିବା ପରେ ସେହି ରାସ୍ତା ଜାମ୍ ହୋଇଯାଇଥିଲା। ଫଳରେ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ଖବର ପାଇ କମିସନରେଟ୍ ଟ୍ରାଫିକ୍ ପୁଲିସ ଫ୍ଲାଏ ଓଭର ଦେଇ ଯାତାୟାତ ବନ୍ଦ ରଖିବା ସହ ସର୍ଭିସ୍ ରୋଡ୍ ଦେଇ ଟ୍ରାଫିକ୍ ପରିଚାଳନା କରିଥିଲା। ବରମୁଣ୍ଡା ଠାରୁ ଗାଡ଼ିଗୁଡ଼ିକୁ ବୁଲାଇ ବାଣୀବିହାରଆଡକୁ ଛଡ଼ା ଯାଇଥିଲା। ରାତି ପ୍ରାୟ ୮ଟା ସୁଦ୍ଧା ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ସ୍ବାଭାବିକ କରାଯାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।
ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥର ସିଆର୍ପି ଛକ ଫ୍ଲାଏ ଓଭରବ୍ରିଜ ଦେଇ ଖଣ୍ଡଗିରିରୁ ବାଣୀବିହାର ଆଡ଼େ ଯିବା ବଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ଉପରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଏଥିରେ ଲୁହା ବିମ୍ ଲୋଡ୍ ହୋଇଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ବରମୁଣ୍ଡା ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ତାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଲୁହା ବିମ୍ ସବୁ ଚାଳକର ଶରୀରରେ ପଶିଯିବା ସହ ଟ୍ରକ୍ର ଦୁଆରମୁହଁକୁ ଚାପି ଦେବାରୁ ଚାଳକ ଟ୍ରକ୍ରୁ ଓହ୍ଲାଇବା ସମ୍ଭବ ନଥିଲା। ଗାଡ଼ିକୁ କାଟି ଚାଳକଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଉଭୟ ଗାଡ଼ିକୁ ଅଲଗା କରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ୍ରାଫ୍ ଟିମ୍ କସରତ କରୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/accident-1.jpg)