ଦୁର୍ଘଟଣାରେ ବରଯାତ୍ରୀ ଯୁବକ ମୃତ

ପୁରୁଣା ଭୁବନେଶ୍ୱର: ବରଯାତ୍ରୀ ଶୋଭାଯାତ୍ରାରୁ ଫେରିବା ବେଳେ ଟଙ୍କପାଣି ରୋଡ୍‌ରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲା ଖୋର୍ଧା ଥାନା ଅଧୀନ ବୋତଳମା ଗ୍ରାମର ମାଧବ ଶତପଥୀ(୩୨)। ସେ କ୍ୟାପିଟାଲ ଥାନା ଅଧୀନ ଅଶେକ ନଗରରେ ପ୍ଲଟ୍‌ ନଂ ୧୫୩/୬ରେ ରୁହନ୍ତି। ପୁଲିସ ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ମାଧବ ଏକ ବରଯାତ୍ରୀରେ ଯୋଗଦେଇ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ବାଙ୍କୁଆଳ ଗ୍ରାମ ନିକଟ ଟଙ୍କପାଣି ରୋଡ୍‌ରେ ସେ ଏକ ହାଇୱାକୁ ଓଭର ଟେକ୍‌ କରୁଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ୍‌କୁ ଦେଖି ସେ ହଠାତ୍‌ ବ୍ରେକ୍‌ ମାରିଥିଲେ। ବାଇକ୍‌ ଚକା ଖସି ଯିବାରୁ ତଳେ ପଡ଼ି ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ୧୦୮ ଆମ୍ବୁଲାନ୍‌ସରେ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମାଧବଙ୍କ ଗାଡ଼ିକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର