ଖଣ୍ଡଗିରି: ଶନିବାର ରାତି ପ୍ରାୟ ସାଢ଼େ ୮ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ବଜାରରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଗ୍ରାମଡିହ ଗ୍ରାମର ବୁଦ୍ଧନାଥ ସ୍ୱାଇଁଙ୍କ ପୁଅ ବିକ୍ରମ(୩୫)। ବାଇକରେ ଯାଉଥିବାବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ବିକ୍ରମଙ୍କ ମୃତ୍ୟୁ ଘଟିଛି। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି। ସୂଚନାନୁସାରେ ବିକ୍ରମ ଯାଁଳା ଫାଣ୍ଡି ଅନ୍ତର୍ଗତ ଅରିଶଲସ୍ଥିତ ଇନ୍ଫୋସିଟି-୨ରେ ଜଣେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରନ୍ତି। ଆଜି ସନ୍ଧ୍ୟାରେ ସେ କୌଣସି କାମରେ ବାଇକ୍(ଓଆର୧୦ସି-୫୧୮୫) ଯୋଗେ ପିତାପଲ୍ଲୀ ବଜାରକୁ ଯାଇଥିଲେ। କାମ ସାରି ସେ ଘରକୁ ଫେରୁଥିବାବେଳେ ପିତାପଲ୍ଲୀ ବଜାରର ସର୍ଭିସ୍ ରୋଡ୍ରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ଘଟିଥିଲା। ନିଛାଟିଆ ସ୍ଥାନର ଘଟଣାଟି ଘଟିଥିବାରୁ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ପରେ ସ୍ଥାନୀୟ ଲୋକେ ବିକ୍ରମଙ୍କ ମୃତଦେହ ଦେଖି ଯାଁଳା ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଗାଡ଼ି ବାବଦରେ ସୂଚନା ପାଇଥିବା ଜଣାପଡ଼ିଛି।
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
/sambad/media/post_attachments/wp-content/uploads/2018/04/Accident_Sambad-Graphic-4.jpg)