ଅଜଣା ଗାଡ଼ି ଧକ୍କାରେ କିନ୍ନର ମୃତ

ଖଣ୍ଡଗିରି: ଗତକାଲି ରାତି ପ୍ରାୟ ସାଢ଼େ ୧ଟାରେ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡ଼ା ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଭାତଖୁରୀ ଗାଁର ମଣ୍ଟୁ ନାଏକ(୨୨)। କୌଣସି ଅଜଣା ଗାଡ଼ି କିନ୍ନର ମଣ୍ଟୁଙ୍କ ଆକ୍ଟିଭା(ଓଡି୦୨ସି-୬୪୧୬)କୁ ପଛରୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାସହ ଦୁର୍ଘଟଣା ଘଟାଇ ଫେରାର୍‌ ହୋଇଯାଇଥିବା ଗାଡ଼ିକୁ ଠାବ କରିବାକୁ ଉଦ୍ୟମ ଚଳାଇଛି।
ସୂଚନାନୁସାରେ, ଗଙ୍ଗପଡ଼ାସ୍ଥିତ ପୁରୁଣା ଟୋଲଗେଟ୍‌ ନିକଟରେ ନିୟମିତ ବସୁଥିବା ହିଞ୍ଜିଡ଼ା ହାଟରୁ କିନ୍ନର ମଣ୍ଟୁ ରାତିରେ ଘରକୁ ଫେରୁଥିଲେ। ଟୋଲ୍‌ଗେଟ୍‌ ନିକଟରୁ କିଛି ବାଟ ଆସିବା ପରେ ପରେ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା କୌଣସି ଗାଡ଼ି ତାଙ୍କୁ ଆକ୍ଟିଭାକୁ ପଛରୁ ଜୋର୍‌ରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ତାଙ୍କ ମୃତଦେହକୁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ପଠାଇଥିଲା। ତାଙ୍କ ନିକଟରୁ ୧୮ଶହ ଟଙ୍କା ମିଳିଥିଲେ ବି ପରିଚୟ ପାଇବା ପାଇଁ କିଛି କାର୍ଡ ନ ମିଳିନଥିଲା। ଆଜି ସକାଳେ ତାଙ୍କ ପରିଚୟ ମିଳିଥିଲା। ମଣ୍ଟୁ ଅଳ୍ପ କିଛି ଦିନ ପୂର୍ବରୁ ଟୋଲଗେଟ୍‌ ହିଞ୍ଜିଡା ହାଟରେ ସାମିଲ ହୋଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର