ଭୁବନେଶ୍ବର: ଭାଇ ଆଖି ଆଗରେ ଚାଲିଗଲା ଭଉଣୀର ଜୀବନ। ସହିଦନଗର ଥାନା ବେହେରାସାହି ଟ୍ରାଫିକ୍‌ ଛକ ନିକଟ‌ରେ ଆଜି ଏହି ହୃଦୟ ବିଦାରକ ଘଟଣା ଘଟିଛି। ଫିଟ୍‌ନେସ୍‌ ଓ ଅନ୍ୟାନ୍ୟ ସାର୍ଟିଫିକେଟ୍‌ ପାଇଁ ଆଜି ଭାଇ-ଭଉଣୀ ଏକ ହସ୍ପିଟାଲକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଅଟୋ ଧକ୍କାରେ ଭଉଣୀର ଜୀବନ ଦୀପ ଲିଭି ଯାଇଥିଲେ ହେଁ ଏହାକୁ ଦେଖିବା ବ୍ୟତୀତ ଗୁରୁତର ଆହତ ଭାଇ ପାଖରେ ଆଉ କିଛି କରିବାର ସୁଯୋଗ ନଥିଲା। ମୃତ ଯୁବତୀ ହେଲେ, କଟକ ଜିଲ୍ଲା ସାଲେପୁର ତାଳପଡ଼ା ଅଞ୍ଚଳର ହରପ୍ରିୟା ରଣା (୨୦)। ସହିଦନଗର ପୁଲିସ ଘଟଣାସ୍ଥଳରୁ ହରପ୍ରିୟାଙ୍କ ଶବ ଓ ଗୁରୁତର ଭାଇ ରଂଜନ ରଣାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ରଂଜନଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଅଟୋ ଚାଳକକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

Advertisment

ସୂଚନା ମୁତାବକ, ହରପ୍ରିୟା ଭୁବନେଶ୍ବରର ଏକ କଲେଜରୁ ବିଏସ୍‌ସି ଡିଗ୍ରି ହାସଲ କରିଥିଲେ। ଏକ ଘରୋଇ କଲେଜ୍‌ରେ ସେ ଫାର୍ମାସି ପାଠ୍ୟକ୍ରମରେ ନାମ ଲେଖାଇଥା’ନ୍ତେ। ଆଡ୍‌ମିସନ୍‌ ପାଇଁ କିଛି ମେଡିକାଲ ସାର୍ଟି‌ଫିକେଟ୍‌ର ଆବଶ୍ୟକତା ଥିବାରୁ ଆଜି ସକାଳେ ଭାଇ ଭଉଣୀ ଏକ ବାଇକ୍‌ରେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଯାଉଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେମାନେ ବେହେରାସାହି ଟ୍ରାଫିକ୍‌ରେ ଠିଆ ହୋଇଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ଭାରସାମ୍ୟ ହରାଇ ରଂଜନଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ରଂଜନ କିଛି ବାଟ ଦୂରକୁ ଛିଟିକି ପଡ଼ି ଗୁରୁତର ‌ଆହତ ହୋଇଥିବା ବେଳେ ହରପ୍ରିୟାଙ୍କ ମୁଣ୍ଡ ରାସ୍ତାରେ ଥିବା ଡିଭାଇଡର୍‌ରେ ପିଟି ହୋଇଯାଇଥିଲା।

ଫଳରେ ସେହିଠାରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରିବା ସହ ସହିଦନଗର ଥାନାକୁ ଖବର ଦେଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଇ-ଭଉଣୀଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତର ସେଠାରେ ହରପ୍ରିୟାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ଟ୍ରାଫିକ୍‌ ଛକରେ ଉତ୍ତେଜନା ପ୍ରକାଶ ପାଇବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଯାତାୟାତ ସ୍ବାଭାବିକ କରାଇଥିଲା। ଏହି ଘଟଣାରେ ପୁଲିସ ଏକ ଦୁର୍ଘଟଣା ଜିନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।