ଦ୍ରୁତଗତିର କୁପରିଣତି: ବାଇକ୍‌ରୁ ପଡ଼ି ଛାତ୍ରଛାତ୍ରୀ ମୃତ

ବାରଙ୍ଗ/ମେଣ୍ଢାଶାଳ: ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ଚନ୍ଦକା ପଥରଗାଡ଼ିଆ ରାସ୍ତାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଦିଗନ୍ତ ଦାସ ଓ ଆୟେଶା ରାଉତ। ଦୁଇ ଜଣଯାକ ଚନ୍ଦ୍ରଶେଖରପୁର ଅଞ୍ଚଳସ୍ଥିତ ଏକ ଘରୋଇ ବିଦ୍ୟାଳୟର ଛାତ୍ର ଥିଲେ। ଦ୍ରୁତଗତି ଯୋଗୁଁ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ବାଇକ୍‌ ଚଳାଉଥିବା ଦିଗନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛାତ୍ରୀ ଆୟେଶା ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଖି ବୁଜିଛନ୍ତି। ଚନ୍ଦକା ଥାନା ପୁଲିସ ସୂଚନାନୁସାରେ ସ୍କୁଲ୍‌ ଛୁଟି ହେବା ପରେ ଦିଗନ୍ତ ଓ ଆୟେଶା ଏକ ସ୍ପିଡ୍‌ ବାଇକ୍‌ ଯୋଗେ ପଥରଗାଡ଼ିଆ ରାସ୍ତାରେ ଚନ୍ଦକା ଦିଗରେ ଯାଉଥି‌ଲେ। ପଥରଗାଡ଼ିଆ ସିଦ୍ଧେଶ୍ବର ମନ୍ଦିର ନିକଟରେ ରାସ୍ତାରେ ଏକ ହମ୍ପସ୍‌ ଅଛି। ମାତ୍ର ଦିଗନ୍ତ ଉକ୍ତ ହମ୍ପସ୍‌ ବାବଦରେ ଜାଣି ନଥିଲେ କିମ୍ବା ବାଇକ୍‌ର ଦ୍ରୁତବେଗ ଯୋଗୁଁ ଜାଣିପାରି ନଥିଲେ। ତେଣୁ ସେ ହମ୍ପସ୍‌ ନିକଟରେ ବାଇକ୍‌କୁ ନିୟନ୍ତ୍ରଣ କରିପାରିନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ବାଇକ୍‌ ହମ୍ପସ୍‌ ଚଢ଼ିବା ମାତ୍ରେ ପ୍ରାୟ ୧୦/୧୨ ଫୁଟ୍‌ ଉଚ୍ଚକୁ ଛିଟିକି ପଡ଼ିଥିଲା। ବାଇକ୍‌ରୁ ଖସି ପଡ଼ିଥିଲେ ଦିଗନ୍ତ ଓ ଆୟେଶା। ଦିଗନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ଚନ୍ଦକା ଥାନା ପୁଲିସ ସେଠାରେ ପହଞ୍ଚି ପ୍ରଥମେ ଗୁରୁତର ଅବସ୍ଥାରେ ଆୟେଶାଙ୍କୁ ଉଦ୍ଧାର କରି କିମ୍‌ସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ରାତି ପ୍ରାୟ ୮ଟା ବେଳେ ହସ୍ପିଟାଲରେ ଆୟେଶାଙ୍କ ମୃତ୍ୟୁ ହୋଇଯାଇଥିଲା। ଚନ୍ଦକା ଥାନା ପୁଲିସ ବ୍ୟବଚ୍ଛେଦ ପାଇଁ ମୃତଦେହ ଦ୍ବୟକୁ କ୍ୟାପିଟାଲ ହସ୍ପିଟାଲରେ ଶବ ସଂରକ୍ଷଣ ଗୃହରେ ରଖିଛି।

ସମ୍ବନ୍ଧିତ ଖବର