ଭାସିଗଲା ସଂସାର: ବାପାଙ୍କ ପରେ ପରେ ଚାଲିଗଲା ପୁଅ

ଦୁର୍ଘଟଣାରେ ଲିଭିଗଲା ଦୁଇ ସାଙ୍ଗଙ୍କ ଜୀବନଦୀପ

ଭୁବନେଶ୍ବର: ବୟସ ମାତ୍ର ୨୪। ଦୁଇ ବର୍ଷ ତଳେ ବାପା ଚାଲିଯିବା ପରେ ପରିବାରର ସବୁ ବୋଝ ତାଙ୍କ କାନ୍ଧ ଉପରେ ପଡ଼ିଥିଲା। ମାର୍କେଟ୍‌ ବିଲ୍‌ଡିଂ‌‌ରେ ଏକ ଡ୍ରେସ୍‌ ଦୋକାନ‌ରେ ସେଲ୍ସମ୍ୟାନ୍ ଭାବେ କାମ କରି ପରିବାର ଚଳାଉଥିଲେ। ମାସକୁ ଯେତିକି ଟଙ୍କା ମିଳୁଥିଲା, ଅଧାରୁ ଅଧିକ ଗାଁରେ ରହୁଥିବା ମା’ ଓ ଭଉଣୀ ପାଖକୁ ପଠାଇ ଦେଉଥିଲେ। କିନ୍ତୁ ଏତେ ଦୁଃଖ, କଷ୍ଟ ଦେବା ପରେ ମଧ୍ୟ ଦଇବ ସହିଲାନି, ଅସମୟରେ ନେଇଗଲା। ଗତ ରାତିରେ ରାଜଧାନୀ‌‌ରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା, ଜଗତସିଂହପୁର ନବାପାଟଣା ଅଞ୍ଚଳର ଶାରଦା ପ୍ରସାଦ ସାହୁ(୨୪)ଙ୍କ ଜୀବନ ନେଇଯାଇଥିବା ବେଳେ ତାଙ୍କ ପରିବାରକୁ ଏକ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।

ଆଜି କ୍ୟାପିଟାଲ ହସ୍ପିଟାଲରେ ପରିବାରଲୋକ ଶାରଦାଙ୍କ ଶବ ନିକଟରେ ଭୋ’ ଭୋ’ ହୋଇ କାନ୍ଦି ଗଡ଼ି ଯାଉଥିଲେ। ଭଉଣୀ ଓ ସମ୍ପର୍କୀୟଙ୍କ ଆଖିରୁ ଯେମିତି ଲୁହ ଶୁଖୁ ନଥିଲା। ଏତେ କମ୍ ବୟସରେ ଜଣଙ୍କୁ ହରାଇବାର ଦୁଃଖ କେତେ କଷ୍ଟକର ହୋଇପାରେ, ତାହା ପରିବାର, ସମ୍ପର୍କୀୟମାନଙ୍କ କାନ୍ଦବୋବାଳିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

ଗତରାତିରେ ଏଜି-ରାଜମହଲ ରାସ୍ତାର ୟୁନିଟ୍-୨ ନିକଟ ଭୂତଳ ରାସ୍ତାପାର୍ଶ୍ବରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଗତସିଂହପୁର ନବାପାଟଣା ଅଞ୍ଚଳର ଶାରଦା ପ୍ରସାଦ ସାହୁ(୨୪) ଓ ତାଙ୍କ ସାଙ୍ଗରେ ଥିବା ଭିଏସ୍ଏସ୍ ନଗର ଅଞ୍ଚଳର ନୀତୀଶ ସ୍ବାଇଁ(୩୨)ଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଏମିତି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ମାର୍କେଟ ବିଲ୍ଡିଂ ନିକଟରେ ନୀତୀଶଙ୍କର ଏକ ବ୍ୟାଗ୍ ଦୋକାନ ରହିଛି। ସେହିପରି ଲକ୍ଷ୍ମୀସାଗର ମଝିସାହିରେ ଭଉଣୀ-ଭିଣୋଇଙ୍କ ପାଖରେ ରହୁଥିବା ଶାରଦା ଏକ ଡ୍ରେସ୍ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରନ୍ତି। ପାଖାପାଖି ଦୋକାନ ହୋଇଥିବାରୁ ନୀତୀଶ ଓ ଶାରଦାଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। ଗତକାଲି ମାସର ଶେଷ ସୋମବାର ଥିବାରୁ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା। ଅପରାହ୍‌ଣ ପ୍ରାୟ ୫ଟାରେ ଦୁହେଁ ବୁଲିବାକୁ ଆସିଥିଲେ। ବୁଲାବୁଲି, କିଣାକିଣି ସହ ଖିଆପିଆ କରିଥିଲେ। ରାତି ପ୍ରାୟ ୧୧ଟାରେ ଖାଦ୍ୟ ଧରି ଘରକୁ ଫେରୁଥିବା‌ ବେଳେ ଦୁର୍ଘଟଣା ଘଟିଥିଲା।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ମହିଳା ସଫେଇ କର୍ମଚାରୀ ମନୋରମା ନାୟକ ଏଜି-ରାଜମହଲ ରାସ୍ତାର ଭୂତଳ ଚଲାପଥ ପ୍ରବେଶ ପଥ ନିକଟରେ ରାସ୍ତା ସଫା କରୁଥିଲେ। ସେହି ସମୟରେ ସେମାନେ ଆକସେସ୍ ଗାଡ଼ି(ଓଡି୦୨-ବିଏଲ୍-୨୮୫୨)ରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲେ। ମନୋରମା ଛିଟିକି ପଡ଼ିଥିଲେ। ଦୁଇଜଣ ରାସ୍ତା କଡ଼ରେ ଥିବା ଲୁହାବାଡ଼ରେ ପିଟି ହୋଇଯାଇଥିଲେ। ୧୦୮ ଆମ୍ବୁଲାନ୍ସରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମନୋରମା ସାମାନ୍ୟ ଆହତ ହୋଇଥିବା ବେଳେ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ନୀତୀଶ ଓ ଶାରଦାଙ୍କର ମୃତ୍ୟୁ ହୋଇଥିଲା।

ଆଜି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ଏକାଠି ବିଦାୟ ନେଇଥିଲେ ଦୁଇଜଣ। ନୀତୀଶଙ୍କର ସ୍ବର୍ଗଦ୍ବାରରେ ଓ ଶାରାଦଙ୍କର ତାଙ୍କ ଗାଁ ମଶାଣିରେ ଶେଷକୃତ୍ୟ ହୋଇଥିବା ପରିବାରଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଗାଁରେ ଶେଷକୃତ୍ୟ ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅପରପକ୍ଷେ ମନୋରମାଙ୍କ ଅଭିଯୋଗକୁ ଭିତ୍ତି କରି କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର