ଦୁର୍ଘଟଣାରେ ଟ୍ରକ୍‌ ଚାଳକ ମୃତ

ଖଣ୍ଡଗିରି: ମଙ୍ଗଳବାର ଭୋର୍‌ରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ବଡ଼କୋଦଣ୍ଡା ଗାଁର ସୁରେନ୍ଦ୍ର ପ୍ରଧାନ(୨୫)। ସୁରେନ୍ଦ୍ରଙ୍କ ଟ୍ରକ୍ ଏକ ଟ୍ରଲର୍ ପଛରେ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ ଆଜି ସୁରେନ୍ଦ୍ର ଟ୍ରକ୍ (ଏପି୩୧ଟିପି-୩୨୭୬)ରେ ଲୁହାପଥର ଗୁଣ୍ଡ ବୋଝେଇ କରି ଗୋପାଳପୁର ଯାଉଥିଲେ। ଭୋର୍ ପ୍ରାୟ ୪ଟାବେଳେ ସେ ଯାଁଳା ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିବା ବେଳେ ଆଗରେ ଯାଉଥିବା ଏକ ଲୁହା ରଡ୍ ବୋଝେଇ ଟ୍ରଲର୍ (ଜିଜେ୧୨ବିଭି-୯୬୨୮) ହଠାତ୍ ବ୍ରେକ୍ ମାରିଥିଲା। ଫଳରେ ସୁରେନ୍ଦ୍ରଙ୍କ ଟ୍ରକ୍ ଟ୍ରଲର ପଛରେ ପିଟି ହୋଇଯାଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ପଛ ଟ୍ରକ୍‌ର ସମ୍ମୁଖ ଭାଗ ଲୁହା ରଡ୍ ବୋଝେଇ ଟ୍ରଲର ପଛରେ ପଶି ଯାଇଥିଲା ସୁରେନ୍ଦ୍ର ଲୁହା ରଡ୍ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ମାତ୍ର ସୌଭାଗ୍ୟକୁ ଉକ୍ତ ଟ୍ରକର ହେଲପର୍ ସାମାନ୍ୟ ଆହତ ହୋଇ ବଞ୍ଚି ଯାଇଛନ୍ତି।

ସମ୍ବନ୍ଧିତ ଖବର