ବାପଘରୁ ଫେରିବା ବେଳେ ଚଢ଼ିଗଲା ହାଇୱା: ମହିଳା ମୃତ, ସ୍ବାମୀ ଗୁରୁତର

ହାଇୱା ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକ, ବାଲିଗାଡ଼ି ଚଳାଚଳ ବନ୍ଦ ଦାବିରେ ରାସ୍ତାରୋକ

ବାଲିଅନ୍ତା: ସରଦେଇପୁର-ନିମାପଡ଼ା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବାଳକାଟିସ୍ଥିତ ପୁରୀ କେନାଲ ବନ୍ଧ ବ୍ରିଜ୍‌ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମୃତକ ହେଲେ, ବାଲିପାଟଣା ଥାନା ଅଧୀନ ତରଡ଼ପଡ଼ା ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କ (୨୮) ଙ୍କ ପତ୍ନୀ ଝରଣା ସାହୁ(୨୬)। ଆଜି ରାତି ପ୍ରାୟ ୯ଟାରେ ସେ ସ୍ବାମୀଙ୍କ ସହ ବାପଘରୁ ଶାଶୂଘରକୁ ଫେରୁଥିବା ବେଳେ ଏକ ହାଇୱା ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଝରଣା ତଳେ ପଡ଼ିଯିବା ପରେ ହାଇୱାଟି ତାଙ୍କ ପେଟ ଉପରେ ମାଡ଼ି ଯାଇଥିଲା। ଫଳରେ ଝରଣାଙ୍କ ଅନ୍ତବୁଜୁଳା ବାହାରି ପଡ଼ିବା ସହ ଘଟଣାସ୍ଥଳ‌ରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅପରପକ୍ଷେ ତାଙ୍କ ସ୍ବାମୀ ଜିତେନ୍ଦ୍ର ମଧ୍ୟ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସେମାନଙ୍କ ସହ ବାଇକ୍‌ରେ ଆଉ ଜଣେ ଛୋଟ ପିଲା ଥିବା କୁହାଯାଉଥିଲେ ମଧ୍ୟ ସେନେଇ କୌଣସି ସଠିକ୍‌ ସୂଚନା ମିଳି ପାରିନାହିଁ।

ଅପରପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସେଠାରେ ଜମା ହୋଇଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଲୋକ ହାଇୱାରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ରାସ୍ତା ମଝିରେ ଦୀର୍ଘ ସମୟ ଧରି ହାଇୱାଟି ହୁତୁହୁତୁ ହୋଇ ଜଳିବାରୁ ଯାତାୟାତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ତେବେ ପରିସ୍ଥିତି ବିଗୁଡ଼ୁଥିବାରୁ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ୍‌ ଅଲ୍ଲୀ ଖାନ, ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ସମେତ ଜୋନ୍‌-୪ ଏସିପି ପରେଶ କୁମାର ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକେ କିଛି ଶୁଣିନଥିଲେ। ସପ୍ତାହର ପ୍ରତି ଶନିବାର ଏବଂ ମଙ୍ଗଳବାର ହାଟ ପାଳି ଦିନ ବଜାର ରାସ୍ତା ଗହଳି ହେଉଥିବା ବେଳେ ବାଲିଗାଡ଼ି ବନ୍ଦ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗରେ ଲୋକେ ହୋହଲ୍ଲା କରିଥିଲେ। ଆଜିର ଏହି ଦୁର୍ଘଟଣା ପାଇଁ ସେମାନେ ସ୍ଥାନୀୟ ତହସିଲ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରି ପାଟିତୁଣ୍ଡ କରିଥିଲେ। ଉପସ୍ଥିତ ପୁଲିସ ଅଧିକାରୀ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ତେବେ ଶେ‌ଷ ଖବର ଲେଖା ହେବା ବେଳକୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିବାରୁ ଯାତାୟାତ ସ୍ବାଭାବିକ ହୋଇପାର ନଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି।

ସୂଚନା ମୁତାବକ, ଭୁବନେଶ୍ବର ବ୍ଲକ୍‌ ଧଉଳି ପଞ୍ଚାୟତ ଅଧୀନ କୁଶୁପଦା ଗ୍ରାମର ଅପର୍ତ୍ତି ପ୍ରଧାନଙ୍କ ଝିଅ ଝରଣାଙ୍କୁ ଗତ ଜୁଲାଇ ମାସରେ ବାଲିପାଟଣା ଥାନା ଅଧୀନ ତରଡ଼ପଡ଼ା ଗ୍ରାମର ବିମ୍ବାଧର ସାହୁଙ୍କ ପୁଅ ଜିତେନ୍ଦ୍ର ବିବାହ କରିଥିଲେ। ଆଜି ପତ୍ନୀଙ୍କ ସହ ଜିତେନ୍ଦ୍ର ଶ୍ବଶୁର ଘର ବୁଲିବାକୁ ଯାଇଥି‌ଲେ। ସ୍ବାମୀ-ସ୍ତ୍ରୀ ରାତି ପ୍ରାୟ ୯ଟାରେ ଘରକୁ ଫେରୁଥିବା ବେଳେ ଝିଣ୍ଡି ବାଲିଘାଟରୁ ବାଲି ଆଣିବାକୁ ଯାଉଥିବା ଏକ ହାଇୱା ବସନ୍ତପେଡ଼ି କେନାଲ ବ୍ରିଜ୍‌ ଉଠାଣି ନିକଟରେ ହାଇୱା ଭାରସାମ୍ୟ ହରାଇ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର