ଭୁବନେଶ୍ବର: ରାଜଧାନୀରେ ପ୍ରଥମଥର ଲାଗି ସ୍ବାସ୍ଥ୍ୟ ପରିସଂଖ୍ୟାନ ଆରମ୍ଭ ହୋଇଛି। ଜନ୍ମ/ମୃତ୍ୟୁ ରେକର୍ଡ ଯାଞ୍ଚ ସହିତ ଶଯ୍ୟା, ସ୍ବାସ୍ଥ୍ୟବୀମା ଓ ଅନ୍ୟାନ୍ୟ କାର୍ଯ୍ୟ କିଭଳି ଚାଲୁଛି, ତାହାର ନିରୀକ୍ଷଣ କରାଯାଉଛି। ରାଜଧାନୀରେ ଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ମିଶାଇ ସମୁଦାୟ ୧୦୪ଟି ଡାକ୍ତରଖାନାରେ ଏହି ନିରୀକ୍ଷଣ କରାଯିବ। ଏ ପର୍ଯ୍ୟନ୍ତ ଯେତିକି ସଂଖ୍ୟକ ଡାକ୍ତରଖାନାରେ ନିରୀକ୍ଷଣ ହୋଇଛି, ଏଥିରେ ଜଟିଳ ରୋଗ ଅପେକ୍ଷା ଦୁର୍ଘଟଣାରେ ଅଧିକ ଲୋକ ପ୍ରାଣ ହରାଇଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ଚଳିତ ସୋମବାରଠାରୁ ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ଏହି ନିରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ୮ରୁ ଅଧିକ ଡାକ୍ତରଖାନାରେ ନିରୀକ୍ଷଣ ହୋଇସାରିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲ ସହ ରାଜଧାନୀର ବହୁ ପ୍ରମୁଖ ଡାକ୍ତରଖାନା ଜନ୍ମ/ମୃତ୍ୟୁର ଠିକ୍ ଭାବେ ତାଲିକା ଓ ତଥ୍ୟ ସ୍ଥାନ ପାଉଛି କି ନାହିଁ, ତାହାର ଯାଞ୍ଚ ହୋଇଛି। ଏହାସହ ଯେଉଁ ବେସରକାରୀ ଡାକ୍ତରଖାନା ରହିଛନ୍ତି, ସେସବୁ ଡାକ୍ତରଖାନରେ କେତେ ପରିମାଣର ସିଟ୍ ଅକ୍ତିଆର ହେଉଛି ସେସବୁ ଯାଞ୍ଚ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆର ନିୟମାବଳୀ ଅନୁଯାୟୀ ଏହି ନିରୀକ୍ଷଣ କରାଯାଉଛି। ଜନ୍ମ/ମୃତ୍ୟୁ ବାଦ୍ ଡାକ୍ତରଖାନାଗୁଡ଼ିକରେ ସାଧାରଣ ପ୍ରସବ/ଅସ୍ତ୍ରୋପଚାର ଜରିଆରେ ହେଉଥିବା ପ୍ରସବ ଓ ଅନ୍ୟାନ୍ୟ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଉଛି। ବେସରକାରୀ ଡାକ୍ତରଖାନାଗୁଡ଼ିକୁ ଯାଉଥିବା ରୋଗୀମାନଙ୍କର କେତେ ଟଙ୍କା ଖର୍ଚ ହେଉଛି, ଏଥିରେ ସ୍ବାସ୍ଥ୍ୟବୀମାରେ କେତେ ଟଙ୍କା ମିଳୁଛି ଓ ରୋଗୀଙ୍କ ପକେଟରୁ କେତେ ଖର୍ଚ ହେଉଛି, ତାହାର ନିରୀକ୍ଷଣ କରାଯାଉଛି। ଯେଉଁ ଡାକ୍ତରଖାନା ଶତ ପ୍ରତିଶତ ସ୍ବାସ୍ଥ୍ୟବୀମା କରିବାରେ ବିଫଳ ହୋଇଥିବା ସୂଚନା ମିଳିବ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯିବ। ସେହିପରି ଏହି ପରିସଂଖ୍ୟାନରେ ମର୍ବିଡିଟି ପ୍ୟାଟର୍ଣ୍ଣ ବା କେଉଁ ରୋଗରେ ଲୋକମାନେ ପ୍ରାଣ ହରାଉଛନ୍ତି, ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ରହିଛି। ଏ ପର୍ଯ୍ୟନ୍ତ ଯେତିକି ସଂଖ୍ୟକ ଡାକ୍ତରଖାନାରେ ନିରୀକ୍ଷଣ ହୋଇଛି ତହିଁରେ କର୍କଟ ଓ ହୃଦ୍ରୋଗ ଜନିତ ମୃତ୍ୟୁ ଅପେକ୍ଷା ଦୁର୍ଘଟଣାରେ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଦୁର୍ଘଟଣା ମଧ୍ୟ ଏକ ରୋଗ ଭାବେ ବିବେଚନା କରାଯାଉଛି। ସୋସିଆଲ ପ୍ରିଭେଣ୍ଟିଭ୍ ମେଡିସିନ୍ରେ ଦୁର୍ଘଟଣାକୁ ରୋଗ ଭାବେ ସ୍ଥାନ ଦିଆଯାଇଛି। ନୂଆବର୍ଷରେ ଅଧିକ ସଂଖ୍ୟାରେ ଦୁର୍ଘଟଣା ହୋଇଥାଏ। ତେଣୁ ପରିସଂଖ୍ୟାନ ଆସିବା ପରେ ଲୋକମାନେ ଏହାଦ୍ବାରା ସଚେତନ ହୋଇପାରିବେ। ଆସନ୍ତା ୨ମାସ ମଧ୍ୟରେ ଏହି ପରିସଂଖ୍ୟାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜଧାନୀ ପରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏଭଳି ସ୍ବାସ୍ଥ୍ୟ ପରିସଂଖ୍ୟାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ରାଜଧାନୀରେ ସ୍ବାସ୍ଥ୍ୟ ପରିସଂଖ୍ୟାନ ଆରମ୍ଭ, ରୋଗ ଅପେକ୍ଷା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ
ରାଜଧାନୀର ୧୦୪ ଡାକ୍ତରଖାନାରେ ହେବ ନିରୀକ୍ଷଣ
/sambad/media/post_attachments/wp-content/uploads/2018/09/medical-care.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)