ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ସତ୍ତ୍ୱେ କମୁନି ଦୁର୍ଘଟଣା, ୫ ବର୍ଷରେ ଗଲାଣି ୭୪୬ ଜୀବନ

ଜାତୀୟ ରାଜପଥ କେତେ ସୁରକ୍ଷିତ,ଚିନ୍ତାରେ କମିସନରେଟ ପୁଲିସ

ଭୁବନେଶ୍ବର : ରବିବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକକୁ ଟାଭେରା ଧକ୍‌କା ଦେବା ପରେ ଘଟଣାସ୍ଥଳରେ ଦୁଇ ଜଣ ଓ ପରେ ଚିକିତ୍ସା ଅବସ୍ଥାରେ ଜଣକଙ୍କ ମୃତ୍ୟୁ ହୋଇ ଯାଇଛି। ଜାଦୀୟ ରାଜପଥରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏ ନେଇ ମଧ୍ୟ ଚିନ୍ତାରେ କମିସନରେଟ ପୁଲିସ। କେମିତି ଜାତୀୟ ରାଜପଥରୁ ଦୁର୍ଘଟଣା ହ୍ରାସ ହେବ ସେ ନେଇ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ବେ ଦୁର୍ଘଟଣା କମୁ ନାହିଁ। ଯାହା ସୂଚନା ମିଳିଛି ଗତ ୫ ବର୍ଷ ମଧ୍ୟରେ ଖଣ୍ଡଗିରି ଛକରୁ ପାହାଳ ଛକ ମଧ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ୭୫୬ ଜଣଙ୍କ ଜୀବନ ଯାଇଛି। ଏକାଧିକ ପଙ୍ଗୁ ହୋଇ ଯାଇଛନ୍ତି। ଜାତୀୟ ରାଜପଥରେ ଏପରି ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉ ଥିବାରୁ ତାକୁ ନିୟନ୍ତ୍ରଣ କରିବା ପୁଲିସ ଲାଗି ଚ୍ୟାଲେଞ୍ଜ ହୋଇଛି।

କିଛି ମାସ ତଳେ ଜାତୀୟ ରାଜପଥରେ ବ୍ଲାକସ୍ପଟ ବା ଦୁର୍ଘଟଣାପ୍ରବଣ ଅଂଚଳ ଚିହ୍ନଟ କାମ ଆରମ୍ଭ ହୋଇଥିଲା। ୫ଟି ଛକ ବାଟଭୁଆସୁଣୀ, ପାତ୍ରପଡାର ଆଇଗିଣିଆ, ନୟାପଲ୍ଲୀର କ୍ରାଉନ ହୋଟେଲ ସାମ୍ନା, ଆଚାର୍ଯ୍ୟବିହାର ଓ ପାହାଳକୁ ଦୁର୍ଘଟଣାପ୍ରବଣ ଅଂଚଳ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରା ଯାଇଥିଲା। ସେହି ସବୁ ଛକରେ ସତର୍କ ସୂଚନା ମଧ୍ୟ ଲାଗିଲା। ସ୍ପିଡ ବ୍ରେକର ମଧ୍ୟ ଲଗାଇବାକୁ ନିର୍ଦେଶ ହେଲା। ନୂଆ ମୋଟର ଯାନ ଆଇନ ପରେ ମଦ୍ୟପ ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି। ଏହା ସତ୍ତ୍ବେ ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି।

ଜଗିଛି ଯମ
ପ୍ରତ୍ୟେକ ଦିନ ରାଜଧାନୀର ବାଟ ଭୁଆସୁଣୀ ଛକରୁ ପାହାଳ ଛକ ମଧ୍ୟରେ କେଉଁଠି ନା କେଉଁଠି ଘଟୁଛି ଦୁର୍ଘଟଣା। ଭାରୀଯାନ ଚକା ତଳେ ଚାଲି ଯାଉଛି ଅନେକଙ୍କ ଜୀବନ।

ପୂର୍ବରୁ ଖଣ୍ଡଗିରି ଛକ ଥିଲା ରାଜଧାନୀର ସବୁଠାରୁ ଦୁର୍ଘଟଣା ପ୍ରବଣ ଛକ। ଏବେ କିନ୍ତୁ ଆଇଗିଣିଆ ଛକ ପାଲଟି ଯାଇଛି ରାଜଧାନୀର ଅନ୍ୟତମ ଦୁର୍ଘଟଣା ପ୍ରବଣ ଅଞ୍ଚଳ। ସେହିପରି ଏପଟେ ହଂସପାଳ ଓ ପାହାଳ ଛକରେ ମଧ୍ୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଚାଲିଛି। ହଂସପାଳ ଛକରେ ବାରମ୍ବାର ଦୁର୍ଘଟଣା ଘଟିବା କାରଣରୁ ନିକଟରେ ଥିବା ଏକ କଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ସେହିପରି ସତସଙ୍ଗ ମନ୍ଦିର ସମ୍ମୁଖରେ ମଧ୍ୟ ବିଭିନ୍ନ ସମୟରେ ଦୁଘର୍ଟଣା ଘଟିଥାଏ। ସେଠାରେ ଏବେ ଟ୍ରାଫିକ ପୁଲିସ ବସ ରହଣୀ ସ୍ଥାନ କରିବା ଓ ରାତିରେ ବ୍ୟ‌ାରିକେଡ୍ ଲଗାଇବା ପରେ ଦୁର୍ଘଟଣା ହ୍ରାସ ପାଇଛି।

ତେବେ ଏ ସମ୍ପର୍କରେ ଟ୍ରାଫିକ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ମୋଟରଯାନ ସଂଶୋଧନ ଆଇନ ଲାଗୁ ହେବା ପରେ ଜାତୀୟ ରାଜପଥ ଓ ସହର ମଧ୍ୟରେ ଦୁର୍ଘଟଣା କମିଛି। ଏହାକୁ ଆହୁରି କମାଇବାକୁ କମିସନେରଟ ପୁଲିସ ଓ ପରିବହନ ବିଭାଗର ଅଧିକ ପଦକ୍ଷେପ ନେବାର ଆବଶ୍ୟକ ରହିଛି।

ସମ୍ବନ୍ଧିତ ଖବର