ଭୁବନେଶ୍ବର : ମହାବାତ୍ୟା ‘ଫନି’କୁ ଅଢ଼େଇ ମାସ ବିତି ଗଲାଣି। କିନ୍ତୁ ଜାମୁକୋଳିଠାରେ ଷଣ୍ଢ ରଖିବା ପାଇଁ ହୋଇଥିବା କାଞ୍ଜିଆହୁଦାର ପୁନରୁଦ୍ଧାର ଦିଗରେ ବିଏମ୍ସି ଏପର୍ଯ୍ୟନ୍ତ ଚିନ୍ତା କରିନାହିଁ। ଫଳରେ ବାତ୍ୟା ପୂର୍ବରୁ ସହରରେ ଛଡ଼ା ଯାଇଥିବା ପ୍ରାୟ ୬୦ରୁ ଊର୍ଧ୍ବ ଷଣ୍ଢ ଆଉ େଫରିପାରୁନାହାନ୍ତି। ରାଜଧାନୀବାସୀଙ୍କୁ ନାକରେ ପାଣି ପିଆଇଲେଣି।
ଷଣ୍ଢ ଏମିତି ଉପଦ୍ରବ କରୁଛନ୍ତି େଯ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। କାହାର ହାତ େଗାଡ ଭାଙ୍ଗିଲାଣି, ଆଉ କିଏ ଗୁରୁତର। ନିଜ ନିଜ ଭିତରେ ଲଢ଼େଇ କରି ରାଜପଥ ଜାମ୍ କରୁଛନ୍ତି। କେତେବେଳେ ପୁଣି ରାସ୍ତାକଡ଼ରେ ଥୁଆ ହୋଇଥିବା କାର୍, ବାଇକ୍କୁ ରାଗରେ ଭଙ୍ଗାରୁଜା କରୁଛନ୍ତି।
ଗତ ବର୍ଷ ନଭେମ୍ବର ୨୦ରେ ତାଳଚେରରୁ ଭୁବନେଶ୍ବର ଆସୁଥିବା ବସ୍ ରାସ୍ତାରେ ବୁଲୁଥିବା ଗୋଟିଏ ମଇଁଷିକୁ ଧକ୍କା ଦେଇ ମହାନଦୀ ପୋଲରୁ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୨ଜଣ ପ୍ରାଣ ହରାଇବାର ଠିକ୍ ୨ଦିନ ପରେ ଅର୍ଥାତ୍ ନଭେମ୍ବର ୨୨ ତାରିଖରେ ଭୁବନେଶ୍ବର ମହାନଗର ନଗମ(ବିଏମ୍ସି) ପକ୍ଷରୁ ଜାମୁକୋଳିଠାରେ ଏକ କାଞ୍ଜିଆହୁଦାର ଉଦ୍ଘାଟନ କରାଗଲା। ଉଦ୍ଦେଶ୍ୟ ଥିଲା, ରାସ୍ତାରେ ବୁଲୁଥିବା ଷଣ୍ଢଙ୍କୁ ହଟାଇ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା।
ସଂଯୋଗବଶତଃ ସେତିକିବେଳେ ହକି ବିଶ୍ବକପ୍ ପାଇଁ ରାଜଧାନୀ ଭୁବନେଶ୍ୱର ଉପରେ ପୂରା ବିଶ୍ବର ନଜର ଥିବାରୁ ବିଏମ୍ସି ପକ୍ଷରୁ ଏହି ଅଭିଯାନକୁ ଜୋରଦାର୍ କରାଗଲା। ରାସ୍ତା ଉପରେ ଶୋଇ ରହୁଥିବା ଗାଈଗୋରୁ ଓ ଷଣ୍ଢମାନଙ୍କୁ ଆଉ ଦେଖିବାକୁ ମିଳିଲାନି। ଯେଉଁ ମାଲିକମାନେ ଅନାୟାସରେ ଗାଈଗୋରୁଙ୍କୁ ପଦାରେ ଛାଡ଼ି ଦେଉଥିଲେ ସେମାନେ କାଞ୍ଜିଆହୁଦାରେ ଜରିମାନା ଦେବା ପରେ ସାବାଡ୍ ହୋଇଗଲେ। ଷଣ୍ଢ ବି ରହିଲେ କା଼଼ଞ୍ଜିଆହୁଦାରେ। ବିଏମ୍ସିର ଏହି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଗଲା। ଏବେ କିନ୍ତୁ ସହରର ଯେଉଁଆଡ଼େ ଆଖି ବୁଲାଇବ, ସବୁଠି ମାଳମାଳ ଷଣ୍ଢ। ୟୁନିଟ୍-୪ ହାଟ ହେଉ କି ପୁରୁଣା ଭୁବନେଶ୍ବର ଅଞ୍ଚଳ ବା ପ୍ରଦର୍ଶନୀ ପଡ଼ିଆ ରାସ୍ତା; ସବୁଠି ଉତ୍ପାତ କରୁଛନ୍ତି। ସମସ୍ତେ କଷ୍ଟ ପାଉଛନ୍ତି, କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ନଜର ପଡୁନି।
ସୂଚନାଯୋଗ୍ୟ, ଖାରବେଳନଗରଠାରେ ପୂର୍ବରୁ ଥିବା ଏକମାତ୍ର କାଞ୍ଜିଆହୁଦାରେ ଗାଈଗୋରୁ ଓ ଜାମୁକୋଳି କାଞ୍ଜିଆହୁଦାରେ ଷଣ୍ଢ ରଖାଯିବାର ନିଷ୍ପତ୍ତି ହୋଇଥିଲା। ପ୍ରାୟ ୮ ଏକର ଜମିରେ ଜାମୁକୋଳିଠାରେ ନିର୍ମିତ କାଞ୍ଜିଆହୁଦାରେ ୨୦୦ ଷଣ୍ଢ ରହିପାରିବା ପରି ବ୍ୟବସ୍ଥା ହେଲା। ଉତ୍ତମ ଗୁହାଳର ବ୍ୟବସ୍ଥା କରାଯିବା ସହ ଚାରଣଭୂମି, ଜଳଯୋଗାଣ ବ୍ୟବସ୍ଥା, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଏକ ପ୍ରାଣୀ ଚିକିତ୍ସକଙ୍କ ରହିବା ଗୃହ, ଶସ୍ୟଶାଳା ଓ ସୁଦୀର୍ଘ ପାଚେରି ମଧ୍ୟ ରହିଲା। ସେମାନଙ୍କ ରକ୍ଷଣାବେକ୍ଷଣା ପାଇଁ ୨ଜଣ କର୍ମଚାରୀ ମଧ୍ୟ ନିୟୋଜିତ ହେଲେ। କିନ୍ତୁ ମେ’ ୩ରେ ହେବାକୁ ଥିବା ମହାବାତ୍ୟା ‘ଫନି’ର ସୂଚନା ପାଇ କାଞ୍ଜିଆହୁଦାରେ ଥିବା ସମସ୍ତ ଷଣ୍ଢକୁ ଛାଡ଼ି ଦିଆଗଲା। ‘ଫନି’ ଯୋଗୁଁ କାଞ୍ଜିଆହୁଦାର ପାଚେରି ଓ ୨ଟି ଗୁହାଳ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ସେଠାରେ ଷଣ୍ଢ ରଖାଯାଉନାହିଁ। ସମ୍ପୂର୍ଣ୍ଣ କାଞ୍ଜିଆହୁଦା ଏବେ ଜଙ୍ଗଲ ପାଲଟି ଯାଇଛି। ‘ଫନି’କୁ ଅଢ଼େଇ ମାସ ବିତି ଯାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର େନଇ ବିଏମ୍ସି କୌଣସି ତତ୍ପରତା ଦେଖାଉନାହିଁ।
କାଞ୍ଜିଆହୁଦାରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ, ‘ଫନି’ ଆସିବାର ବହୁ ପୂର୍ବରୁ କାଞ୍ଜିଆହୁଦାରେ ଥିବା ପ୍ରାୟ ୬୦ଟି ଷଣ୍ଢକୁ ବିଏମ୍ସି ଗାଡ଼ି ଆସି ବୋହି ନେଇ ଖାଲି ସ୍ଥାନ ଦେଖି ଛାଡ଼ି ଦେଇଥିଲା। ଖୁବଶୀଘ୍ର ଅସ୍ଥାୟୀ ପାଚେରି ତିଆରି କରାଯିବ ଓ ପ୍ରଥମେ ସହରର ଆହତ ଷଣ୍ଢମାନଙ୍କୁ ଏଠାରେ ଆଣି ରଖିଯିବା ସହ ଚିକିତ୍ସା କରାଯିବ।
ବିଏମ୍ସି ଡେପୁଟି କମିସନର୍ ଶ୍ୟାମସୁନ୍ଦର ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଫନି ପୂର୍ବରୁ ଷଣ୍ଢମାନଙ୍କୁ କାଞ୍ଜିଆହୁଦାରୁ ବାହାର କରି ଦିଆଯାଇଥିଲା। ବର୍ତ୍ତମାନ କାଞ୍ଜିଆହୁଦାର ପାଚେରି ଓ ଗୁହାଳ ଘର ଭାଙ୍ଗି ଯାଇଥିବାରୁ ଷଣ୍ଢ ଧରା ଯାଇନାହିଁ। ଇଞ୍ଜିନିୟର୍ କ୍ଷୟକ୍ଷତି ଆକଳନ କରିବା ସହ ରିପୋର୍ଟ ଦେଇସାରିଛନ୍ତି। ଖୁବ୍ଶୀଘ୍ର ଟେଣ୍ଡର୍ ହୋଇ କାମ ଆରମ୍ଭ ହେବ।