ଭଡ଼ାଟିଆକୁ ହତ୍ୟା ଉଦ୍ୟମ ମାମଲା : ଦୋଷୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର : ଭଡ଼ାଟିଆଙ୍କୁ ହତ୍ୟା ଉଦ୍ୟମ ମାମଲାର ବିଚାର କରି ସହକାରୀ ଦୌରାଜଜ୍‌ ନରେଶ ମହାନ୍ତି ଆଜି ଅଭିଯୁକ୍ତ ବାଲିଅନ୍ତା ଖମାଙ୍ଗୋର ବିଜୟ ଭୋଇକୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ସଶ୍ରମ କାରାଦଣ୍ଡ‌ରେ ଦଣ୍ଡିତ କରିଛନ୍ତି। ଏଥିସହ ୨ ହଜାର ଟଙ୍କା ଜରିମାନାଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୨ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଆଦେଶ ରହିଛି। ୨୦୧୬ ମସିହା ଡିସେମ୍ବରରୁ ବିଜୟ ଗିରଫ ହୋଇ ଜେଲ୍‌‌‌ରେ ଅଛି। ସରକାରଙ୍କ ପକ୍ଷରୁ ରତ୍ନାକର ନାୟକ ମାମଲା ପରିଚାଳନା କରୁଥିବା ବେଳେ ତାଙ୍କୁ ବିଶ୍ବ ନାରାୟଣ ମହାନ୍ତି ଓ ଆଶୁ ମହାନ୍ତି ସହଯୋଗ କରୁଥିଲେ।

ସୂଚନା ମୁତାବକ, ରଶ୍ମିରଞ୍ଜନ ପରିଡ଼ା ଖମଙ୍ଗର ବିଜୟ ଭୋଇ ଘରେ ଭଡ଼ା ସୂତ୍ରରେ ରହୁଥିଲେ। ୨୦୧୬ ଡିସେମ୍ବର ୩୧ ତାରିଖ ଦିନ ବିଜୟ, ବଡ଼ଭାଇ କାଳନ୍ଦୀ ଓ କାଳନ୍ଦୀଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ବିଜୟ ଉତ୍ତ୍ୟକ୍ତ ହୋଇ କାଳନ୍ଦୀଙ୍କ ପତ୍ନୀଙ୍କୁ ହାଣିବା ପାଇଁ ଏକ କଟୁରି ଧରି ଗୋଡ଼ାଇଥିଲା। ବିଜୟକୁ ଅଟକାଇବା ପାଇଁ ରଶ୍ମିରଞ୍ଜନ ସାମ୍ନାରେ ଛିଡ଼ା ହୋଇ କଟୁରିକୁ ଛଡ଼ାଇବାକୁ ଉଦ୍ୟମ କରୁଥିଲେ। ହେଲେ ବିଜୟ ରଶ୍ମିଙ୍କୁ ହାଣି ପକାଇଥିଲା। ତାଙ୍କ ମୁହଁ, ହାତ ଓ ପେଟରେ କଟୁରି ଚୋଟ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ପଡ଼ି ରହିବା ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ପୁଲିସ ଘଟଣାର ଗୋଟିଏ ଦିନ ପରେ ବିଜୟକୁ ଗିରଫ କରିଥିଲା। ସେବେଠାରୁ ବିଜୟ ଜେଲ୍‌ରେ ଅଛି। ଆସନ୍ତା ଡିସେମ୍ବର ମାସରେ ତା’ର ସଜା ପୂରିବାକୁ ଯାଉଛି।

ସମ୍ବନ୍ଧିତ ଖବର