ପରୀକ୍ଷାର୍ଥୀଙ୍କ ପାଇଁ ରହଣି ବ୍ୟବସ୍ଥା‌

ଭୁବନେଶ୍ବର: ଟେରିଟୋରି ଆର୍ମି (୧୨୦ ବାଟାଲିଅନ)ର ବିଭିନ୍ନ ପଦବି ‌ପାଇଁ ହେଉଥିବା ନିଯୁକ୍ତି ରାଲିରେ ଯୋଗ ଦେବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଓ ବିହାରରୁ ଶତାଧିକ ଯୁବକ ଆସି ଭୁବନେଶ୍ବରରେ ଡେରା ପକାଇଛନ୍ତି। କିନ୍ତୁ ଆବଶ୍ୟକୀୟ ରହଣି ବ୍ୟବସ୍ଥା ନଥିବାରୁ ପରୀକ୍ଷାର୍ଥୀମାନେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି। ଏପରିକି ଗତ ଚାରି ଦିନ ହେଲା ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଏହି ଯୁବକମାନେ ୧୨୦ ବାଟାଲିଅନ୍‌ ସମ୍ମୁଖରେ ରାସ୍ତା ଉପରେ ଶୋଉଛନ୍ତି। ଏନେଇ ‘ସମ୍ବାଦ’‌‌‌‌ରେ ଫଟୋ ସହ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ପକ୍ଷରୁ ଚାକିରି ଆଶାୟୀମାନଙ୍କ ପାଇଁ ମାଗଣାରେ ରହଣି ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ସେନାରେ ଯୋଗଦେବାକୁ ଆସିଥିବା ଯୁବକମାନଙ୍କ ରହଣି ପାଇଁ ବିଏମ୍‌ସିର ୪ଟି କଲ୍ୟାଣ ମଣ୍ତପ, କମ୍ୟୁନିଟି ସେଣ୍ଟର୍‌ ଏବଂ ଯାତ୍ରୀ ନିବାସରେ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଏଠାରେ ସେମାନେ ମାଗଣାରେ ରହିପାରିବେ। ଅଧିକରୁ ଅଧିକ ଆଶାୟୀ ଯେପରି ଏହାର ଫାଇଦା ନେଇପାରିବେ, ସେଥିପାଇଁ ୧୨୦ ବାଟାଲିୟନ କର୍ତ୍ତୃପକ୍ଷ ସୂଚନା ଦେବାକୁ କୁହାଯାଇଛି। ଏଥିରେ ୟୁନିଟ-୬ସ୍ଥିତ କଲ୍ୟାଣ ମଣ୍ଡପରେ ୧୫୦ଜଣ, ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର୍‌ରେ ୫୦ଜଣ, ୟୁନିଟ-୮ କମ୍ୟୁନିଟି ସେଣ୍ଟର୍‌ରେ ୨୦୦ଜଣ, ଝାରପଡ଼ା ଓଭରବ୍ରିଜ୍ ନିକଟରେ ଥିବା ଯାତ୍ରୀ ନିବାସର ଡର୍ମିଟୋରିରେ ୨୦୦ଜଣ ରହିବାର ବ୍ୟବସ୍ଥା କରାଯାଇଛି। ଏହି ସବୁ ସ୍ଥାନରେ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ନେଇ ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର