ସରକାରୀ ଅଧିକାରୀ କହି ୨ଲକ୍ଷ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଠକିନେବା ଘଟଣା: ଜଣେ ଗିରଫ; ମୁଖ୍ୟ ଅଭିଯୁକ୍ତ ସମେତ ୩ ଫେରାର

ଆହୁରି ୩ ଇଲେକ୍ଟ୍ରୋନିକ୍ସ ଦୋକାନରୁ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ବର: ସଚିବାଳୟରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ପରିଚୟ ଦେଇ ଇଲେକ୍ଟ୍ରୋନିକ୍ସ ଦୋକାନରୁ ପ୍ରାୟ ୨ଲକ୍ଷ ଟଙ୍କାର ସାମଗ୍ରୀ ହଡ଼ପ କରିବା ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ସେ ହେଲା ଖୋର୍ଦ୍ଧା ଗୁରୁଜଙ୍ଗର ରଶ୍ମିରଂଜନ ସାହୁ। ମଞ୍ଚେଶ୍ବର ଥାନା ପୁଲିସ ଗୁରୁଜଙ୍ଗରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ତା’ ଘରୁ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କାର ଚୋରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି। ଖବର ଅନୁଯାୟୀ, ଗତ ୧୩ ଜାନୁଆରିରେ ଠକେଇର ମୁଖ୍ୟ ଅଭିଯୁକ୍ତ ସୁନୀଲ ମିଶ୍ର ନିଜ ପରିଚୟ ଗୋପନ ରଖି ରସୁଲଗଡ଼ସ୍ଥିତ ଏଆର୍ ଇଲେକ୍ଟ୍ରୋନିକ୍ସକୁ ଫୋନ୍ କରିଥିଲା। ନିଜକୁ ସଚିବାଳୟର ବରିଷ୍ଠ ଅଧିକାରୀ ଦୀପକ କୁମାର ଜେନା ବୋଲି ପରିଚୟ ଦେଇ ସରକାରୀ କୋଭିଡ୍ ହସ୍ପିଟାଲରେ ନୂଆ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲାଗିବ ବୋଲି କହିଥିଲା। ଏହାପରେ ଚିଠା ପ୍ରସ୍ତୁତ କରି ତାଲିକା ହ୍ବାଟ୍ସଆପ୍‌ରେ ପଠାଇବାକୁ ଧୂର୍ତ୍ତ ସୁନୀଲ ଦୋକାନ ମାଲିକ ଚନ୍ଦ୍ରକାନ୍ତ ରଥଙ୍କୁ କହିଥିଲା। ଧୂର୍ତ୍ତ କହିବାନୁଯାୟୀ ଚନ୍ଦ୍ରକାନ୍ତ ତାଲିକା କରି ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହ୍ବାଟ୍ସଆପ୍‌ରେ ମେସେଜ୍ କରିଥିଲେ। ଧୂର୍ତ୍ତ ୧୬ ତାରିଖ ସରକାରୀ ଛୁଟି ଥିବା ଦର୍ଶାଇ ୧୭ତାରିଖ ଚନ୍ଦ୍ରକାନ୍ତଙ୍କ ପାଖରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେବେ ବୋଲି ସ୍ଥିର କରିଥିଲେ।

ଏକ ଟାଭେରା ଗାଡ଼ି(ଓଡି ୦୨ଏବି-୧୩୮୪) ପଠାଇ ଚନ୍ଦ୍ରକାନ୍ତଙ୍କ ଦୋକାନରୁ ଜିନିଷ ନେବା ପରେ ନ’ ତାଲା ପାଖକୁ ଆସି ଟଙ୍କା ନେବାକୁ କହିଥିଲା। ତେଣୁ ଚନ୍ଦ୍ରକାନ୍ତ ଦୋକାନର ଜଣେ କର୍ମଚାରୀଙ୍କୁ ଉକ୍ତ ଗାଡ଼ିରେ ପଠାଇବା ସହିତ ନିଜେ ଟଙ୍କା ଆଣିବାକୁ ସଚିବାଳୟ ଯାଇଥିଲେ। ଗାଡ଼ି ନ’ତାଲା ପାଖରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଜଗିରହିଥିବା ଧୂର୍ତ୍ତ ସୁନୀଲର ସହଯୋଗୀ ସଚିବାଳୟ ଭିତରକୁ ଯାଇ ସାର୍‌ଙ୍କ ପାଖରୁ ଟଙ୍କା ଆଣିବାକୁ କହିଥିଲା। ଚନ୍ଦ୍ରକାନ୍ତ ଭିତରକୁ ଯାଇଥିବା ସମୟରେ ଗାଡ଼ିରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନର କର୍ମଚାରୀକୁ ସୁନୀଲର ସହଯୋଗୀ ଚତୁରତାର ସହ ଖାଇବା ପାଇଁ ସାଙ୍ଗରେ ଡାକିନେଇଥିଲା।

ଅପରପକ୍ଷରେ ଚନ୍ଦ୍ରକାନ୍ତ ସଚିବାଳୟକୁ ଯାଉଥିବା ସମୟରେ ଧୂର୍ତ୍ତ ସୁନୀଲ ଫୋନ୍ କରି କୋଭିଡ୍ ପାଇଁ ତାଙ୍କୁ ଭିତରକୁ ଆସିବା ପାଇଁ ଅନୁମତି ନଥିବା କହିବା ସହ ସେ ଚେକ୍ ନେଇ ଯାଉଛି ବୋଲି କହିଥିଲା। ଚନ୍ଦ୍ରକାନ୍ତ ବାହାରକୁ ଆସି ଦେଖିବା ବେଳକୁ ସେଠାରେ ଟାଭେରା ନଥିଲା। ସେ ପୁଣି ଫୋନ୍ କରିବାରୁ ଗାଡ଼ି କ୍ୟାପିଟାଲ ହସ୍ପିଟାଲ ଯାଇଥିବା ଧୂର୍ତ୍ତ କହିଥିଲା। ଏହା ପରେ ଚନ୍ଦ୍ରକାନ୍ତ ହସ୍ପିଟାଲ୍ ଯାଇ ଦେଖିବା ବେଳକୁ ସେଠାରେ ମଧ୍ୟ ଗାଡ଼ି ନଥିଲା। ପରେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ।
ଏନେଇ ମଞ୍ଚେଶ୍ବର ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅଭିନବ ଉପାୟରେ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଟାର୍ଗେଟ କରି ଲୁଟୁଥିବା ଏହି ଗ୍ୟାଙ୍ଗ୍ ଭୁବନେଶ୍ବରର ଆହୁରି ୩ ଇଲେକ୍ଟ୍ରୋନିକ୍ସ ଦୋକାନରୁ ପ୍ରାୟ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚଳୁ କରିଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ସୁନୀଲ ମିଶ୍ର ଓ ତାର ଆଉ ୨ଜଣ ସହଯୋଗୀ ଏବେ ବି ଫେରାର୍ ଥିବା ପୁଲିସ ସୂଚନା ଦେଇଛି। ତେଣୁ ଧୂର୍ତ୍ତ ସୁନୀଲ ଧରାପଡ଼ିବା ପରେ ଆଉ କେଉଁ କେଉଁ ସ୍ଥାନରୁ ଏହିଭଳି ସାମଗ୍ରୀ ହଡ଼ପ କରିଛନ୍ତି ତା’ର ତାଲିକା ସାମ୍‌ନାକୁ ଆସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର