ଶ୍ରମିକଙ୍କ ପାଇଁ ଆଦାୟ ସେସ୍ ଟଙ୍କାର ହିସାବ ଦିଅନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ବର: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ୧୫ ଶହ ଟଙ୍କା ଦେଉଛନ୍ତି। ହେଲେ ଏହି ଅର୍ଥ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ନୁହେଁ, ବରଂ ସେସ୍‌ରୁ ସଂଗୃହୀତ ଅର୍ଥ। ଗତ ୧୦ ବର୍ଷରେ ରାଜ୍ୟ ସରକାର ଏହି ସେସ୍‌ ଟଙ୍କାକୁ ସାଇକେଲ କିଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ବ୍ୟୟ କରିଛନ୍ତି। ତେଣୁ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଆଦାୟ ହୋଇଥିବା ସେସ୍‌ ଟଙ୍କାର ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି ହୋଇଛି।

ଆଜି କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସେବା ଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ, ୨୦୦୮ ମସିହାରେ ଉପା ସରକାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ। ଏହି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କୁ ୩ ବର୍ଷ ଲାଗିଥିଲା। କରୋନା କାଳରେ ଏହି ବର୍ଗର ଶ୍ରମିକମାନେ ବିଶେଷ ଭାବେ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି। ଏହି ବର୍ଗର ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ମିଳୁ ନଥିବା ବେଳେ ଶ୍ରମିକ ସଂଘ ବିଷୟରେ ଏମାନଙ୍କର ଧାରଣା ନ ଥାଏ। ସରକାରଙ୍କ ନିର୍ଧାରିତ ୮ ଘଣ୍ଟାରୁ ଏମାନେ ଅଧିକ ସମୟ କାର୍ଯ୍ୟ କରିଥାନ୍ତି। ରାଜ୍ୟ ତଥା ଦେଶରେ ଯେଉଁ ସର୍ବନିମ୍ନ ମଜୁରି ବ୍ୟବସ୍ଥା କରାଯାଇଛି, ଏହାର ଏକ ସମୀକ୍ଷା ହେବାର ଆବଶ୍ୟକତା ରହିଛି। ରେଳବାଇରେ କ‌ାର୍ଯ୍ୟରତ ଶ୍ରମିକଟିଏ ଯେଉଁ ପାରିଶ୍ରମିକ ପାଉଛି; ‌ରାଜ୍ୟରେ ‌କାର୍ଯ୍ୟରତ ଶ୍ରମିକଙ୍କୁ ତାହା ମିଳୁନାହିଁ। ମନରେଗାରେ ଯିଏ କାର୍ଯ୍ୟ କରୁଛି, ତାହାର ମୂଲ୍ୟ ମଧ୍ୟ ଅଲଗା। ତେଣୁ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ଧାର୍ଯ୍ୟ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅଣସଂଗଠତି ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମୁଖପାତ୍ର ମନୋରଂଜନ ଦାଶ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର