୮ ବର୍ଷ ପରେ ଅଭିଯୁକ୍ତ ଗିରଫ, ଜମି ଦେବା ନାଁରେ ବନ୍ଧୁଙ୍କ ୩୦ ଲକ୍ଷ ଚଳୁ

ଭୁବନେଶ୍ବର : ରାଜଧାନୀରେ ଜମି ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳର ସନ୍ତୋଷ ସାହୁ। ଜମି ବିକିବାକୁ ୩୦ ଲକ୍ଷ ଟଙ୍କା ନେଇ ସନ୍ତୋଷ ୮ ବର୍ଷ ହେଲା ଲୁଚକାଳି ‌ଖେଳୁଥିଲା।

ପୁଲିସ ସୂଚନାନୁସାରେ ଗତ ୨୦୧୪ ମସିହାରେ ସନ୍ତୋଷ ଘୋର ଆର୍ଥିକ ସମସ୍ୟାରେ ଥିଲା। ତେଣୁ ଖଣ୍ଡେ ଜମି ବିକିବାକୁ ସେ ତାଙ୍କ ବନ୍ଧୁ ମନୋରଞ୍ଜନ ପ୍ରଧାନଙ୍କୁ ଜଣାଇଥିଲା। ମନୋରଞ୍ଜନ ଉକ୍ତ ଜମିକୁ ନିଜେ କିଣିବେ ବୋଲି ରାଜି ହୋଇଥିଲେ। ଏନେଇ ଉଭୟ ଆଲୋଚନା କରିବା ପରେ ଜମି ଦର ୩୦ ଲକ୍ଷ ଟଙ୍କା ଛିଡ଼ିଥିଲା। ନିଷ୍ପତ୍ତି ଅନୁସାରେ ମନୋରଞ୍ଜନ ସେହି ବର୍ଷ ଜାନୁଆରି ୪ରେ ୨୦ ଲକ୍ଷ ଟଙ୍କା ଓ ୧୫ରେ ୧୦ ଲକ୍ଷ ଟଙ୍କା ଗଣି ଦେଇଥିଲେ। ପରେ ଜମି ‌ରେଜିଷ୍ଟ୍ରି ହେବ ବୋଲି କଥା ଛିଡ଼ିଥିଲା। ସେମାନେ ଦୁଇ ବନ୍ଧୁ ହୋଇଥିବାରୁ ମନୋରଞ୍ଜନ ବିଶ୍ବାସ କରି ବିନା ରେଜିଷ୍ଟ୍ରିରେ ସନ୍ତୋଷକୁ ୩୦ ଲକ୍ଷ ଟଙ୍କା ଦେଇ ଦେଇଥିଲେ। ମାତ୍ର ସନ୍ତୋଷ ବିଶ୍ବା‌ସଘାତ କରିବେ ବୋଲି ସେ କେବେ ବି ଭାବିନଥିଲେ। ହେଲେ ଟଙ୍କା ପାଇବା ପରେ ସନ୍ତୋଷର ଅସଲ ଚେହେରା ପଦାକୁ ଆସିଥିଲା। ନା ଜମି ଦେଲା, ନା ଟଙ୍କା ଫେରାଇଥିଲା। ଶେଷ‌ରେ ଟଙ୍କା ଫେରାଇବ ବୋଲି କହି କହି ୮ ବର୍ଷ ଗଡ଼ାଇଦେଲା। ଏନେଇ ମନୋରଞ୍ଜନ ପ୍ରଥମେ ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କିଛି ସୁଫଳ ନ ମିଳିବାରୁ ସେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦେଶକ୍ରମେ ଆଜି ତାକୁ ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର