ଭୁବନେଶ୍ବର : ବର୍ଷକ ତଳେ ବାର୍ଗାର୍ଲଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ଝାରପଡ଼ା ଅଞ୍ଚଳର ଜଗତଜୀବନ ଜେନା(୨୭)କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ବର୍ଷେ ହେଲା ଲୁଚକାଳି ଖେଳିବା ପରେ ଗତକାଲି ରାତିରେ ସେ ପୁଲିସ ହାବୁଡ଼ରେ ପଡ଼ିଥିଲା।
ସୂଚନା ମୁତାବକ, ଗତ ବର୍ଷ ଜଗତଜୀବନ ଓ ତା’ର ସହଯୋଗୀମାନେ କଟକରୋଡ୍ରେ ଥିବା ଏକ ବାର୍କୁ ଯାଇଥିଲେ। କୌଣସି କାରଣକୁ ନେଇ ବାର୍ କର୍ମଚାରୀଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ସେହି ରାଗରେ ସେମାନେ ବିଳମ୍ବିତ ରାତିରେ ଓସ୍କାର ସିଟିରେ ଥିବା ବାର୍ଗାର୍ଲଙ୍କ ହଷ୍ଟେଲ୍କୁ ଯାଇ ଗାଳିମନ୍ଦ କରିଥିଲେ। ବାର୍ଗାର୍ଲମାନେ ପ୍ରତିବାଦ କରିବାରୁ ସେମାନେ ଟେକାପଥର ମାଡ଼ କରିଥିଲେ। ସେମାନଙ୍କୁ ଅଟକାଇବାକୁ ଯାଇ କାର୍ଯ୍ୟରତ ସୁରକ୍ଷାକର୍ମୀ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଗତଜୀବନର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ତେବେ ଜଗତଜୀବନ ଫେରାର୍ ହୋଇଯାଇଥିଲା।