ବାଲିପାଟଣା : କଟୁରି ଚୋଟରେ ଯୁବକ ଗୁରୁତର, ଅଭିଯୁକ୍ତ ଗିରଫ

ବାଲିପାଟଣା : ବାଲିପାଟଣା ଥାନା ପମ୍ପାଲୋ ଗ୍ରାମର ସୁଦର୍ଶନ ବେହେରାଙ୍କୁ ସେହି ଗ୍ରାମର ସୁବାସ ଚନ୍ଦ୍ର ମହାପାତ୍ର ଗତକାଲି କଟୁରିରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସୁଦର୍ଶନଙ୍କ ବାମପଟ ଗାଲ ଏବଂ ବାମପଟ ଛାତିରେ ଗୁରୁତର ଆଘାତ ଲାଗିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଷ୍ଟିଚ୍‌ ପଡ଼ିଥିବା ସୁଦର୍ଶନଙ୍କ ପୁଅ ବ୍ରହ୍ମାନନ୍ଦ କହିଛନ୍ତି। ବ୍ରହ୍ମାନନ୍ଦଙ୍କ କହିବା ମୁତାବକ ସୁବାସ ପ୍ରତ୍ୟେକ ଦିନ ମଦ୍ୟପାନ କରି ଗାଁ ଦାଣ୍ଡରେ ଗାଳି ଗୁଲଜ କରେ। ଏହାପୂର୍ବରୁ ବହୁବାର ତାଙ୍କ ଘର ସାମ୍ନାରେ ଗାଳିଗୁଲଜ କରିଛି। ତାଙ୍କ ବାପାଙ୍କୁ ହାଣିବା ଉଦେଶ୍ୟରେ ଗତକାଲି ଅପରାହ୍‌ଣ ୪ଟାରୁ ମଦ୍ୟପାନ କରି କଟୁରି ଧରି ବୁଲୁଥିଲା। ସୁଦର୍ଶନ ସଂଧ୍ୟାରେ ପମ୍ପାଲୋ ବାଲୁଙ୍କେଶ୍ୱର ବିଦ୍ୟାଳୟ ପୋଖରୀରେ ଶୌଚ ହୋଇ ଫେରିବା ବେଳେ ସୁବାସ ପଛପଟୁ କଟୁରିରେ ଆକ୍ରମଣ କରିଥିଲା। ଆହତ ସୁଦର୍ଶନଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇ ଥିଲା। ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ବ୍ରହ୍ମାନନ୍ଦ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସୁବାସକୁ ଗିରଫ କରାଯାଇ କେସ ନଂ. ୨୪୨/୧୯ରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର