ଯୁବକଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଛାତ୍ରଙ୍କୁ ଆକ୍ରମଣ, ୨ ଅଣଛାତ୍ର ଅଟକ, ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ

ଭୁବନେଶ୍ବର : ଘରେ ପଶି ଗାଳିଗୁଲଜ ଓ ଆକ୍ରମଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ସତ୍ୟନଗର ହାଉସିଂବୋର୍ଡ କଲୋନିର ସେକ୍‌ ସମୀର(୩୬)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ସମୀର ନିଶାସକ୍ତ ଅବସ୍ଥା‌ରେ ସଏଦ୍‌ ଅସ୍ରାପଲ୍ଲୀଙ୍କ ଘରକୁ ପଶି ଯାଇଥିଲା। ତାଙ୍କ ପରିବାରଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ସଏଦ୍‌ ପ୍ରତିବାଦ କରିବାରୁ ସେ ତାଙ୍କୁ ଆକ୍ରମଣ କରିଥିଲା।

ଛାତ୍ରଙ୍କୁ ଆକ୍ରମଣ, ୨ ଅଣଛାତ୍ର ଅଟକ
ଭୁବନେଶ୍ବର : ଜଣେ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିଛି। ସେମାନେ ହେଲେ ସାଲିଆସାହି ଜନତାନଗରର ଶ୍ରୀକାନ୍ତ ନାୟକ(୨୨) ଓ ମହାବୀରନଗରର ରାହୁଲ୍‌ ନାୟକ(୨୩)। ଗୁରୁବାର ମଧ୍ୟାହ୍ନ ପ୍ରାୟ ୧ଟାରେ ବିଜୁ ପଟ୍ଟନାୟକ କଲେଜ +୨ ଛାତ୍ର ସିଦ୍ଧା‌ର୍ଥ ବଳିଆରସିଂହ କଲେଜ୍‌ କ୍ୟାମ୍ପସରେ ସାଙ୍ଗଙ୍କ ସହ ବସିଥିଲେ। ଏହି ସମୟରେ ଶ୍ରୀକାନ୍ତ ଓ ରାହୁଲ କ୍ୟାମ୍ପସ୍‌ରେ ପଶି ଅଚାନକ ସିଦ୍ଧାର୍ଥଙ୍କୁ ଆକ୍ରମଣ କରିଥିଲେ। ଉଭୟ ମିଶି ତାଙ୍କୁ ତଳେ ମାଡ଼ ମାରିଥିଲେ। ସିଦ୍ଧାର୍ଥଙ୍କ ସାଙ୍ଗମାନେ ଉଭୟ ଯୁବକଙ୍କୁ କାବୁ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା। ପୁଲିସ ଉଭୟଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ
ଖଣ୍ଡଗିରି : ସ୍ଥାନୀୟ କୋଳଥିଆ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ପ୍ରାୟ ୧୫ ହଜାର ଟଙ୍କା ଗାଏବ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଉପରେ ତାଲା ସୁରକ୍ଷିତ ଥିବା ସତ୍ତ୍ବେ ହୁଣ୍ଡି ଖୋଲି ଟଙ୍କା ଚୋରି ହୋଇଛି। କେହି ଜଣାଶୁଣା ବ୍ୟକ୍ତି ଏହି କେଳେଙ୍କାରୀ‌ରେ ସମ୍ପୃକ୍ତ ବୋଲି ସନ୍ଦେହ କରାଯାଉଛି। ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ମନ୍ଦିର ହୁଣ୍ଡି ଖୋଲିବା ବେଳେ ଭିତରୁ କିଛି ଟଙ୍କା ବାହାରି ନଥିଲା। ନିକଟରେ କାର୍ତ୍ତିକ ପୂର୍ଣ୍ଣିମା ଯାଇଥିବା‌ରୁ ଏଥର ହୁଣ୍ଡିରୁ ଅଧିକ ଟଙ୍କା(ପ୍ରାୟ ୧୫ହଜାର ଟଙ୍କା) ବାହାରିବ ବୋଲି ଆଶା କରାଯାଉଥିଲା। ମାତ୍ର ହୁଣ୍ଡି ଫାଙ୍କା ପଡ଼ିଥିବାରୁ କେହି ‌ଟଙ୍କା ଚୋରି କରିଛି ବୋଲି ଅଭିଯୋଗ ହୋଇଛି। ଆଜି ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟ ଏ ନେଇ ଖଣ୍ଡଗିରି ଥ‌ାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଆସି ଖୋଳତାଡ଼ କରିଥିଲା।

ସମ୍ବନ୍ଧିତ ଖବର