ଖଣ୍ଡା ଚୋଟରେ ଯୁବକ ଗୁରୁତର, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଗତକାଲି ସକାଳେ ଏୟାର୍‌ପୋର୍ଟ ଥାନା କାର୍ଗିଲ୍‌ ବସ୍ତି କେଳାସାହିରେ ଜଣେ ଯୁବକ ତାଙ୍କ ପଡ଼ୋଶୀଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ନୟାଗଡ଼ ସଦର ଥାନା ଖେଦପଡ଼ାର ସନ୍ତୋଷ ନାୟକ(୪୮)କୁ କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ ମାଛ ବେପାରୀ ପପୁ ବେହେରା ଓ ସଫେଇ କର୍ମଚାରୀ ସନ୍ତୋଷ ନାୟକଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗିରହିଥିଲା। ସାମାନ୍ୟ କଥାକୁ ନେଇ ଦୁଇ ପଡ଼ୋଶୀ ଝଗଡ଼ା କରୁଥିଲେ। ଗତକାଲି ସକାଳେ ପୁଣି କୌଣସି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସନ୍ତୋଷ ଘରୁ ଏକ ଖଣ୍ଡା ଆଣି ପପୁକୁ ଆକ୍ରମଣ କରିଥିଲା।

ବେକକୁ ଲକ୍ଷ୍ୟ କରି ସନ୍ତୋ‌ଷ ମାରିଥିବା ପ୍ରଥମ ଚୋଟ ପପୁଙ୍କ କାନ‌ରେ ବାଜିଥିଲା। ଜୀବନ ବିକଳରେ ପପୁ ଦୌଡ଼ୁଥିବା ବେଳେ ରକ୍ତମୁଖା ସନ୍ତୋଷ ଗୋଡ଼ାଇଥିଲା। କିଛି ବାଟ ପରେ ପପୁ ଦୌଡ଼ି ନପାରି ଅଟକି ଯିବା ପରେ ସନ୍ତୋଷ ପୁଣି ଏକ ଚୋଟ ମାରିଥିଲା। ଏଥର ପପୁ ହାତ ଦେଖାଇବାରୁ ତାଙ୍କ ଦୁଇ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏତିକିବେଳେ ବସ୍ତିର କିଛି ଯୁବକ ସନ୍ତୋଷକୁ କାବୁ କରି ନେଇଥିଲେ। ପପୁଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ସନ୍ତୋଷ କୌଶଳକ୍ରମେ ‌ଚମ୍ପଟ ମାରିଥିଲା। ଗତକାଲି ରାତିରେ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର