ଚିଟ୍‌ଫଣ୍ଡ ଠକେଇ ମାମଲା: ହୀରାପୁରରୁ ଅଭିଯୁକ୍ତକୁ ଉଠାଇନେଲା ପୁଲିସ

ବାଲିଅନ୍ତା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ପୁଲିସ ରବିବାର ବିଳମ୍ବିତ ରାତିରେ ହୀରାପୁର ଗ୍ରାମରେ ଅତର୍କିତ ଚଢ଼ଉ କରି ଚିଟ୍‌ଫଣ୍ଡ ମାମଲାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ହେଲେ ଅନାମ ଚରଣ ସାହୁ(୪୮)। ଅନାମ ବିରୋଧରେ ହିନ୍ଦୋଳ ଥାନା ଅଞ୍ଚଳରେ ଠକେଇ ମାମଲା ରହିଥିବା ବାଲିଅନ୍ତା ଥାନା ସୂତ୍ରରୁ ଜଣାପଡ଼ିଛି। ଅନାମ ସେଠାରେ ଏକ ଚିଟ୍‌ଫଣ୍ଡ ସଂସ୍ଥାରେ ସଂପୃକ୍ତ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ହିନ୍ଦୋଳ ଅଞ୍ଚଳରେ ୨୦୧୪ ମସିହାରେ ଏକ ଚିଟ୍‌ଫଣ୍ଡ ସଂସ୍ଥାଖୋଲି ଅନାମଙ୍କ ସମେତ ଅନ୍ୟ ସହଯୋଗୀମାନେ ଜମାକାରୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲା। ହିନ୍ଦୋଳ ସ୍ଥିତ ଚିଟ୍‌ଫଣ୍ଡ ସଂସ୍ଥାରେ ପୁଲିସ ଚଢ଼ଉ କରି ଧରପଗଡ଼ କରିବା ପରେ ଅନାମ ସେଠାରୁ ଫେରାର ହୋଇ ନିଜ ଗ୍ରାମ ହୀରାପୁରକୁ ପଳାଇଆସି ଲୁଚିଛପି ଏକ ହୋମିଓପ୍ୟାଥିକ ଔଷଧ ବିକ୍ରୟ ସଂସ୍ଥାରେ କାର୍ଯ୍ୟ କରୁଥିଲା। ଏ ସଂପର୍କରେ ଖବର ପାଇ ହିନ୍ଦୋଳ ଥାନାର ଜଣେ ଏସଆଇଙ୍କ ନେତୃତ୍ବରେ ଅନ୍ୟ ୩ଜଣ କର୍ମଚାରୀ ଗତକାଲି ରାତିରେ ବାଳକାଟି ଫାଣ୍ଡିରେ ପହଞ୍ଚିଥିଲେ। ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲି ଖାନ ଓ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସହାୟତାରେ ଗତକାଲି ରାତିରେ ଚଢ଼ଉ କରି ହିନ୍ଦୋଳ ପୁଲିସ ଅନାମକୁ କାବୁ କରିଥିଲେ। ଅଧିକ ତଥ୍ୟ ହାସଲ ପାଇଁ ହିନ୍ଦୋଳ ଥାନାରେ ଅନାମଙ୍କ ସମେତ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ଭାବେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର