ପଦାରେ ପଡ଼ିଲା ଆର୍କିଟେକ୍ଟ ପଢ଼ୁଆ ଠକର କଳା କାରନାମା : ‘ଚାକିରି ତୁମେ ବାଛ, ନିଯୁକ୍ତି ଆମେ ଦେବୁ’

ପ୍ରେମିକା ସହ ମିଶି ଲକ୍ଷଲକ୍ଷ ଲୁଟୁଥିଲା
ଜଗତସିଂହପୁରରୁ ଗିରଫ, ପ୍ରେମିକା ଫେରାର
ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ବର/ଧଉଳି : ରେଲୱେ, ପୁଲିସ, ଆର୍ମି, ଆଇଆର୍‌ସିଟିସି, କେଉଁଠି ଚାକିରି ଦରକାର କୁହ। ତୁମ ଇଚ୍ଛା ଅନୁସାରେ ଚାକିରି ବାଛ, ତମ ହାତରେ ଆସି ପହଞ୍ଚିବ ନିଯୁକ୍ତିପତ୍ର। ଆର୍କିଟେକ୍ଟ ପଢ଼ୁଆ ଜଣେ ଉଚ୍ଚଶିକ୍ଷିତ ଠକ ବେକାର ଯୁବକଯୁବତୀଙ୍କୁ ଖାଲି ଏମିତି କହି ପ୍ରଭାବିତ କରୁ ନଥିଲା; ବରଂ ପୂର୍ବରୁ ଚାକିରି ପାଇଥିବା କହି କେତେକଙ୍କ ସହ ଫୋନରେ କଥା ବି କରାଇ ଦେଉଥିଲା। ଏମିତି ଢଙ୍ଗରେ ଠକି ଚାଲିଥିବା କାକଟପୁର ଥାନା କରୁଣ ଗ୍ରାମର ସରୋଜ କୁମାର ଜେନାକୁ ଧଉଳି ଥାନା ପୁଲିସ ଗିରଫ କରିଛି। ତେବେ ଏହି ରାକେଟ୍‌ରେ ସାମିଲ ସରୋଜର ପ୍ରେମିକା କୁହାଯାଉଥିବା ସହଯୋଗୀ ଯୁବତୀ ରଶ୍ମିଲତା ମହାନ୍ତି ଫେରାର ହୋଇ ଯାଇଛି। ସରୋଜଠାରୁ ବ୍ୟାଙ୍କ ପାସବୁକ୍, ମୋବାଇଲ ଫୋନ୍, କାଗଜପତ୍ର ଜବତ କରିଛି ପୁଲିସ।

କନ୍ଧମାଳ ଅଞ୍ଚଳର ବିଜୟ ପ୍ରଧାନ ଗତବର୍ଷ ଡିସେମ୍ବରରେ ଓଏଲଏକ୍ସରେ ଚାକିରି ଖୋଜୁ ଖୋଜୁ ଏମ୍ସରେ ଆଟେଣ୍ଡାନ୍ସ ପଦ ଖାଲିଥିବା ଏକ ବିଜ୍ଞାପନ ଦେଖିଥିଲେ। ସେହି ନମ୍ବରରେ ଯୋଗାଯୋଗ କରିବା ପରେ ଜଣେ ସମ୍ପର୍କୀୟଙ୍କ ସହ ଭୁବନେଶ୍ବର କଳ୍ପନା ଛକରେ ଆସି ପହଞ୍ଚିଥିଲେ। ଚାକିରି ବିଜ୍ଞାପନ ଦେଇଥିବା ବ୍ୟକ୍ତି ସହ ଦେଖା କରିବା ପାଇଁ ସେ କଳ୍ପନା ଛକରେ ଅପେକ୍ଷା କରିଥିଲେ। ସେହି ସମୟରେ ସରୋଜ ଆସି ପହଞ୍ଚିଥିଲା। କୁଆଡ଼େ ଆସିଛ ବୋଲି ସରୋଜ ପଚାରିବାରୁ ବିଜୟ ଏମ୍ସରେ ଆଟେଣ୍ଡାନ୍ସ ପଦ ଖାଲି ଅଛି, ଚାକିରି ପାଇଁ ଯୋଗାଯୋଗ କରିବାକୁ ଆସିଥିବା କହିଥିଲେ। କିନ୍ତୁ ସରୋଜ ତାଙ୍କୁ ସରକାରୀ ଚାକିରି ଲୋଭ ଦେଖାଇ ଧଉଳି ଥାନା ନୂଆଗାଁରେ ରହୁଥିବା ଘରକୁ ନେଇ ଯାଇଥିଲା। ତା’ ପାଖରେ ଏକାଧିକ ସରକାରୀ ଚାକିରି ଅଛି, କେଉଁ ଚାକିରି କରିବ ବୋଲି ପଚାରିଥିଲା। ବିଜୟ ପୁଲିସରେ ଚାକିରି କରିବେ ବୋଲି କହିଥିଲେ। ତେଣୁ ବିଶ୍ବାସ ଜନ୍ମାଇବା ପାଇଁ ସରୋଜ ପୁଲିସ ପୋଷାକ ପିନ୍ଧା ଜଣେ ଯୁବକଙ୍କ ଫଟୋ ଦେବା ସହ ସେ କଟକ ମଙ୍ଗଳାବାଗ ଥାନାରେ ଚାକିରି କରୁଥିବା କହିଥିଲା। ଫୋନରେ କଥା ବି କରାଇଥିଲା। ଏଥିପାଇଁ ଟଙ୍କା ଲାଗିବ ବୋଲି ସେ କହିବା ସହ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲା। ମାତ୍ର ବିଜୟ ଚାକିରି ନ ପାଇ ଯେତେବେଳେ ସରୋଜକୁ ପଚାରିଥିଲେ, ସେ ଆଉ ଧରାଛୁଆଁ ଦେଇ ନ ଥିଲା। ଏପରିକି ମୋବାଇଲ ମଧ୍ୟ ସୁଇଚ୍ ଅଫ୍ କରି ଦେଇଥିଲା। ଟଙ୍କା ଫେରସ୍ତ ମାଗି ନିରାଶ ହେବା ପରେ ଶେଷରେ ଗତକାଲି ଧଉଳି ଥାନାର ଦ୍ବାରସ୍ଥ ହୋଇଥିଲେ ବିଜୟ। ପୁଲିସ ତଦନ୍ତ କରି ସରୋଜକୁ ଗତକାଲି ରାତିରେ ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ୍ ଥାନା ଅଞ୍ଚଳରୁ ଗିରଫ କରିଥିଲା। କିନ୍ତୁ ଏହି ଠକାମିରେ ସହଯୋଗ କରୁଥିବା ସରୋଜର ପ୍ରେମିକା ରଶ୍ମିଲତାକୁ ପୁଲିସ ପାଇ ନ ଥିଲା।

କେବଳ ଏହି ଗୋଟିଏ ଘଟଣା ନୁହେଁ, ପିପିଲି ଥାନା ଅଧୀନ ସାତଶଙ୍ଖ ଗ୍ରାମର ବବିତା ବିଶ୍ବାଳଙ୍କଠାରୁ ମଧ୍ୟ ୩୦ ହଜାର ଟଙ୍କା ଠକି ନେଇଥିଲା ସରୋଜ। ଏହାଛଡ଼ା ରେଲୱେ ଗ୍ରୁପ୍ ଡି ପଦରେ ଚାକିରି କରାଇ ଦେବାକୁ କହି ସୁନ୍ଦରଗଡ଼ର ସତ୍ୟରଞ୍ଜନ ଜେନାଙ୍କଠାରୁ ୬.୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଦୁଇଟି ଯାକ ଠକେଇ ସମାନ ଧରଣର ହୋଇଥିବା ଜଣାପଡିଛି। ପୁଲିସ ସରୋଜକୁ ଥାନାରେ ପଚରାଉଚରା କରିବା ପରେ ଫୁଲବାଣୀ ଅଞ୍ଚଳର ଜଣେ ବେକାର ଯୁବକଙ୍କଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକି ନେଇଥିବା‌ ଜାଣିବାକୁ ପାଇଛି। ସେହିପରି କଟକ ଅଞ୍ଚଳର ଜଣେ ଯୁବକଙ୍କଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡିଛି।

ରାଜଧାନୀର ଖଣ୍ଡଗିରି ଓ ଅନ୍ୟ ଅଞ୍ଚଳରେ ରହି ମଧ୍ୟ ସରୋଜ ଠକେଇ କରିଥିବା କୁହାଯାଉଛି। ସରୋଜ କେତେ ଲୋକଙ୍କୁ ଠକିଛି, ଏହି ରାକେଟ୍‌ରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ସହଯୋଗୀ ଯୁବତୀ ଗଲେ କୁଆଡେ; ଏସବୁର ଖୋଳତାଡ଼ କରିବା ପାଇଁ ସରୋଜକୁ ଆସନ୍ତାକାଲିଠାରୁ ରିମାଣ୍ଡରେ ଆଣିବ ପୁଲିସ। ଆଜି କୋର୍ଟଚାଲାଣ ସମୟରେ ପୁଲିସ ୫ ଦିନ ଲାଗି ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ତିନିଦିନ ମଞ୍ଜୁର କରିଛନ୍ତି। ରିମାଣ୍ଡରେ ଆସିବା ପରେ ପୂରା ରାକେଟର ଗୁମର ଖୋଲିବ ବୋଲି ଆଶା ରଖିଛି ପୁଲିସ।

ଟଙ୍କା ଫେରସ୍ତ ମାଗିଲେ ଧମକ ଦେଉଥିଲା
ଚାକିରି ପାଇ ନ ଥିଲେ କି ଟଙ୍କା ମଧ୍ୟ ଫେରସ୍ତ ମିଳି ନ ଥିଲା ଆଶାୟୀଙ୍କୁ। ଠକାମିର ଶିକାର ହୋଇଥିବା ଜାଣିବା ପରେ ଯେତେବେଳେ ସରୋଜକୁ ଟଙ୍କା ମାଗିଲେ ସେ ହ୍ବାଟ୍‌ସଆପରେ କଲ୍ ଓ ଚାଟିଂ କରିବାକୁ କହିଥିଲା। ପିଲା ଯେତେବେଳେ ହ୍ବାଟ୍‌ସ ଆପ୍‌ରେ ଚାଟିଂ କରି ଟଙ୍କା ମାଗୁଥିଲେ; ସେତେବେଳେ ସେମାନଙ୍କୁ ନାନ‌ା ପ୍ରକାର ଧମକ ଦେଉଥିଲା ସରୋଜ। ଖାଲି ଧମକ ନୁହେଁ; ଅଶ୍ଳୀଳ ଭାଷାରେ ଗାଳିଗୁଲଜ ବି କରୁଥିଲା। ଏହି ଚାଟିଂର ସ୍କ୍ରିନ ସଟ୍‌କୁ ଅଭିଯୋଗକାରୀ ପୁଲିସ ନିକଟରେ ଦାଖଲ କରିଛନ୍ତି।

 

ପତିପତ୍ନୀ ପରିଚୟ ଦେଇ ରହୁଥିଲେ
ସରୋଜ ଓ ସହଯୋଗୀ ଯୁବତୀ ରଶ୍ମିଲତା ମହାନ୍ତିଙ୍କ ସହ ନୂଆଗାଁ ବିଶାଲ ସିଟି ଲେନ ନଂ ୧ ରେ ଭଡ଼ାରେ ରହୁଥିଲା। ରଶ୍ମିଲତାଙ୍କୁ ସେ ନିଜର ପତ୍ନୀ ବୋଲି ପରିଚୟ ଦେଇଥିଲା। କିନ୍ତୁ ରଶ୍ମିଲତା ତାଙ୍କର ପତ୍ନୀ ନୁହଁନ୍ତି ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। କେବଳ ଠକେଇ କରିବା ପାଇଁ ସରୋଜ ଏଭଳି କୌଶଳ ଅବଲମ୍ବନ କରିଥିଲା ବୋଲି ପୁଲିସ କହିଛି। ତେଣୁ ରଶ୍ମିଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଏକ ଟିମ୍ ଚଢ଼ଉ କରୁଛି। ସେ ଧରାହେଲା ପରେ ଆହୁରି ଗୁମର ଖୋଲିବ ବୋଲି କୁହାଯାଉଛି।

ନିଜେ ଠକାମିର ଶିକାର ହେବା ପରେ ଠକ ପାଲଟିଗଲା
ସରୋଜ ଆର୍କିଟେକ୍ଟରେ ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ସ୍ନାତକ ହାସଲ କରିଛି। ରାଜଧାନୀରେ ଏକ ଘରୋଇ କନଷ୍ଟ୍ରକସନ୍ ସଂସ୍ଥାରେ କାମ କରୁଥିଲା। ପରେ ଅନ୍ୟ ଏକ କମ୍ପାନିରେ ଚାକିରି ପାଇ ବିହାର ଚାଲି ଯାଇଥିଲା। ସେଠାରେ ଚାକିରି କରୁଥିବା ବେଳେ ୨୦୧୮ରେ ଅନଲାଇନରେ ରେଲୱେ ଚାକିରି ସମ୍ପର୍କରେ ଜାଣିବାକୁ ପାଇଥିଲା। ରେଲୱେ ଚାକିରି ଲୋଭରେ ଆର୍କିଟେକ୍ଟ ଚାକିରି ଛାଡ଼ି ଦେଇଥିଲା। ରେଲୱେ ଚାକିରି ପାଇଁ ଦେଢ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା। ମାତ୍ର ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଭୁବନେଶ୍ବର ଫେରି ଆସିଥିଲା। ୨୦୧୯ରେ ଭୁବନେଶ୍ବର ଆସି ଏମିତି ଜାଲ୍‌ ନିଯୁକ୍ତିର ଜାଲ ବିଛାଇଥିଲା। ଟଙ୍କା ରୋଜଗାର କରିବାର ଏହା ଏକ ସହଜ ଉପାୟ ବୋଲି ଚିନ୍ତା କରିଥିଲା। କୋଟିପତି ହେବାକୁ ଲକ୍ଷ୍ୟ ରଖିଥିଲା। କାହିଁକି ବେକାର ପିଲାଙ୍କଠାରୁ ଠକେଇ କରୁଥିଲୁ ବୋଲି ପୁଲିସ ପଚାରିଥିବା ପ୍ରଶ୍ନରେ ଏଭଳି ଉତ୍ତର ଦେଇଥିଲା ସରୋଜ।

ସମ୍ବନ୍ଧିତ ଖବର