ଭୁବନେଶ୍ବର : ରାଜଧାନୀରେ ଦୁଇ ନାବାଳିକାଙ୍କୁ ହାତଗୋଡ଼ ବାନ୍ଧି ଗଣଦୁଷ୍କର୍ମ ମାମଲାରେ ଆଜି ଜିଆର୍ପି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଖୋର୍ଦ୍ଧାରୁ ଗିରଫ କରିଛି। ସେ ହେଲା ବାଙ୍କୀ ବଦନପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ମଲ୍ଲିକ(୨୩)। ସେ ଏଠାରେ ପଟିଆ ଅଞ୍ଚଳରେ ରହି ଏକ ଚିକେନ୍ ଦୋକାନରେ କାମ କରୁଥିଲା। ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଗତ ୧୬ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ପଟିଆ ଅଞ୍ଚଳର ଦୁଇ ନାବାଳିକା ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲାବୁଲି କରିବାକୁ ଯାଇଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ପଟିଆ ରେଲବାଇ ଓଭରବ୍ରିଜ୍ ଉପରକୁ ଟେକି ନେଇ ଯାଇଥିଲେ। ସେଠାରେ ଦୁଇ ନାବାଳିକାଙ୍କୁ ବାନ୍ଧି ଦୁଷ୍କର୍ମ କରି ଚାଲିଥିଲେ। ରାତିତମାମ ନାବାଳିକା ଦ୍ବୟ ଦୁଷ୍କର୍ମର ଶିକାର ହୋଇଥିଲେ ବି ଯୁବକ ଦ୍ବୟଙ୍କ କବଳରୁ ବର୍ତ୍ତିପାରି ନଥିଲେ। ସକାଳେ ନାବାଳିକା ଦୁହେଁ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକ ସେହି ଯୁବକମାନଙ୍କ ପାଖକୁ ଯାଇ ପଚରାଉଚରା କରିବାବେଳେ, ସେମାନେ ଟଙ୍କା ନେଇ କଥା ଚାପି ଦେବାକୁ କହିଥିଲେ। ଏନେଇ ରେଳବାଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଜାରି ରଖିଥିଲା। ଆଜି ପୁଲିସ କୃଷ୍ଣଚନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଯୁବକକୁ ଗିରଫ ପାଇଁ ତନାଘନା ଜାରି ରଖିଛି।
ଅନ୍ୟପଟେ ୨ ନାବାଳିକା ଶିଶୁ କନ୍ୟାଙ୍କୁ ପଟିଆ ଷ୍ଟେସନ ନିକଟରେ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଛି। ଏନେଇ ନ୍ୟାୟ ପାଇଁ ଲଢ଼େଇ ପରିବାରର ଓଡ଼ିଶାର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନ୍ଏଚ୍ଆର୍ସିରେ ଅଭିଯୋଗ କରିଛନ୍ତି।