ରେଲୱେ ଚାକିରି ଆଳରେ ଠକେଇ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ଇଂଜିନିୟର୍

ଚନ୍ଦ୍ରଶେଖରପୁର : ରେଳବାଇରେ ଚାକିରି କରାଇଦେବା ଆଳରେ ୨ଯୁବକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଗତକାଲିଠାରୁ ଚନ୍ଦ୍ରଶେଖରପୁର ଥାନାରେ ଅଟକ ଥିବା ଅଭିଯୁକ୍ତ ଇଂଜିନିୟର୍‌ ପ୍ରଶାନ୍ତ ବାଘଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୨ଜଣ ଅଭିଯୋଗକାରୀଙ୍କ ଏତଲା ଭିତ୍ତିରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୫ରୁ ଅଧିକ ଯୁବକଙ୍କୁ ସେ ଠକିଥିବା ଜଣାପଡ଼ିଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ପ୍ରଶାନ୍ତ ରେଳ ବିଭାଗରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବେ ଚାକିରି କରୁଛନ୍ତି। କିନ୍ତୁ ସେ ରେଳବାଇରେ ଚାକିରି କରାଇବାକୁ ପ୍ରଲୋଭନ ଦେଖାଇ ବେକାର ଯୁବକମାନଙ୍କୁ ଫସାଉଥିଲେ ଓ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ। ଏମିତି ପୃଥକ ପୃଥକ ଅଭିଯୋଗରେ ସେ ୨୦୧୯ ଓ ୨୦୨୦ ମସିହାରେ ଦୁଇ ଥର ଗିରଫ ହୋଇ ଜେଲ୍‌ ଯାଇଥିଲେ। ଜାମିନ୍‌ରେ ଆସିବା ପରେ ସେ ପୁଣି ଚାକିରିରେ ଯୋଗ ଦେଇଥିଲେ ବି ଠକାମି ଛାଡ଼ିନଥିଲେ। ଗତ କିଛି ମାସ ପୂର୍ବେ ସେ ପୁଣି ୨ ଯୁବକଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇ ଧରାଛୁଆଁ ଦେଇନଥିଲେ ଓ ଏକ ଚେକ୍‌ ଦେଇ ଭଣ୍ଡାଇଥିଲେ। ପରେ ଉକ୍ତ ଚେକ୍‌ ବାଉନ୍‌ସ ହୋଇଯାଇଥିଲା।

ସମ୍ବନ୍ଧିତ ଖବର