ଆଦର୍ଶ ଥାନା ହାଜତରୁ ଅଭିଯୁକ୍ତ ଚମ୍ପଟ : ଖସିଗଲା ନା ଖସେଇଦେଲେ?

ଭୁବନେଶ୍ବର : ଆଦର୍ଶ ଥାନା ହାଜତରୁ ଚମ୍ପଟ ମାରିଛି ହତ୍ୟା ଉଦ୍ୟମ ଅଭିଯୋଗରେ ଧରାପଡ଼ିଥିବା ଜଣେ ଅଭିଯୁକ୍ତ। ଦୀର୍ଘ ୪ମାସ ପୁଲିସ ସହ ଲୁଚକାଳି ଖେଳିବା ପରେ ଏୟାରପୋର୍ଟ ଥାନା ପୁଲିସ କଳବଳ କୌଶଳ ଲଗାଇ ତାକୁ ଗତରାତିରେ ଧରିଥିଲା। ଆଜି ମେଡିକାଲ ଟେଷ୍ଟ ସରିବା ପରେ ଥାନାକୁ ଅଣା ଯାଇଥିଲା। କାଗଜପତ୍ର ପ୍ରସ୍ତୁତ ଚାଲିଥିଲା। ଆଉ କିଛି ସମୟ ପରେ ସେ କୋର୍ଟ ଚାଲାଣ ହୋଇଥା’ନ୍ତା। ହେଲେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ପିଇବା ପାଇଁ ପାଣି ମାଗି ଏୟାରପୋର୍ଟ ଥାନାରୁ ଚମ୍ପଟ ମାରିଥିଲା। ଅଭିଯୁକ୍ତ ହେଲା, ପୁରୁଣା ଭୁବନେଶ୍ବର ଭୀମପୁର ଅଞ୍ଚଳର ଅମିତ ସ୍ବରୂପ ମହାପାତ୍ର ଓରଫ ପିକୁଲ। ତେବେ ଏହି ଘଟଣାରେ କିଏ ଦାୟୀ, ସେ ନେଇ ଅତିରିକ୍ତ ପୁଲିସ କମିସନର୍‌ ଅନୁପ କୁମାର ସାହୁ ଥାନା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଆସିବା ପରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ତେବେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ସହ ସଂପର୍କରେ ଥିଲା। ସଲାସୁତରାରେ ତାକୁ ଛାଡ଼ି ଦିଆଯାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଏୟାରପୋର୍ଟ ଥାନା ପୁଲିସ। ଅଭିଯୁକ୍ତକୁ ଖୋଜା ଚାଲିଛି, ରାତି ସୁଦ୍ଧା ତାକୁ ଗିରଫ କରାଯିବାକୁ ଚେଷ୍ଟା ଚାଲିଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ରାତିରେ ସେ ପୁରୀ ଚାଲି ଯାଇଥିବା ନେଇ ପୁଲିସ ସନ୍ଦେହ କରୁଛି। ଏ ଦିଗରେ ମଧ୍ୟ ତଦନ୍ତ ହେଉଛି ବୋଲି ପୁଲିସ କହିଛି।

ସୂଚନା ମୁତାବକ, ଗତ ଜାନୁଆରି ୧୯ ତାରିଖ ଦିନ ଏୟାରପୋର୍ଟ ରୋଡ୍‌ରେ ପୁରୁଣା ଭୁବନେଶ୍ବର ହରଚଣ୍ଡୀ ସାହିର ଶିବପ୍ରସାଦ ବେହେରା ଅନ୍ୟ ଦୁଇ ସାଙ୍ଗ ଜଗା ବେହେରା ଓ ପ୍ରସନ୍ନ ସାହୁ ଯାଉଥିଲେ। ରାତି ପ୍ରାୟ ୯ଟା ବେଳେ ଏମାନଙ୍କୁ ୫ ଜଣ ଖଣ୍ଡା ଧରି ଆକ୍ରମଣ କରିଥିଲେ। ମୁଣ୍ଡରେ ଖଣ୍ଡା ବାଜିବାରୁ ଜଗା ଲହୁଲୁହାଣ ହୋଇ ସେ ତଳେ ପଡ଼ି ଯାଇଥିଲେ। ୫ଜଣ ମିଶି ତିନିଜଣଙ୍କଠାରୁ ସୁନା ଚେନ୍‌ ଓ ଟଙ୍କା ଲୁଟି ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ସମୟ ପରେ ପୁଲିସ ଭୀମପୁରର ଜିତୁକୁ ଗିରଫ କରିଥିଲା। ଜିତୁଠାରୁ ଅମିତ ସମ୍ବନ୍ଧରେ ସୂଚନା ମିଳିଥିଲା। ଦୀର୍ଘ ୪ ମାସ ପୁଲିସକୁ ଭୁଆଁ ବୁଲାଇ ଅମିତ ଘୂରି ବୁଲିବା ପରେ ଗତକାଲି ତାକୁ ପୁରୁଣା ଭୁବନେଶ୍ବରରୁ ଗିରଫ କରାଯାଇଥିଲା। ସେ ନିଶାବେପାର କରୁଥିବା ଖବର ପାଇ ପୁଲିସ ଅତର୍କିତ ଭାବରେ ଚଢ଼ଉ କରି ତାକୁ ଧରିଥିଲା। ଆଜି ସକାଳେ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା। କୋର୍ଟ ଚାଲାଣ ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ସେ ନାଟକୀୟ ଢଙ୍ଗରେ ଫେରାର ହେବାକୁ ସକ୍ଷମ ହୋଇଥିଲା। କୋଭିଡ୍‌-୧୯ ମୁକାବିଲାରେ ପୁଲିସ ବେଶ୍‌ ପ୍ରସଂଶା ଗୋଟାଇ ଥିବା ବେଳେ ଆଜି ଏଭଳି ଏକ ଘଟଣା ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର