ଧରାପଡ଼ିଲା ପୁତ୍ରହନ୍ତା ବାପା

ବୁଦା ଭିତରୁ ମିଳିଲା ବନ୍ଧୁକ, ଧରାଇ ଦେଲା ଲଗାଣ ବର୍ଷା

ବାରଙ୍ଗ : ୧୨ ଦିନର ଲୁଚକାଳି ଖେଳ ପରେ ପୁଲିସ ହାତରେ ଧରାପଡ଼ିଛି ମୁଣ୍ଡଳୀ ବେଣ୍ଟୁଆବସ୍ତିର ପୁତ୍ରହନ୍ତା ବାପା ଯଦୁ ମୁଣ୍ଡା(୬୨)। ଗତକାଲି ରାତିରେ ବାରଙ୍ଗ ଥାନା ପୁଲିସ ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ସଢ଼ୁ ଘରେ ଚଢ଼ଉ କରି ଯଦୁକୁ ଗିରଫ କରିଛି। ପୁଅକୁ ମାରିବା ପରଠାରୁ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଛପିଥିବା ଯଦୁକୁ ପୁଲିସ ଗିରଫ କରିପାରିନଥିଲା। କିନ୍ତୁ ଲଗାଣ ବର୍ଷା କାରଣରୁ ଜଙ୍ଗଲରେ ରହିବା ସମ୍ଭବ ନହେବାରୁ ‌ସେ ସଢ଼ୁ ଘରକୁ ପଳାଇଥିଲା। ଏଭଳି ମଉକାକୁ ଅପେକ୍ଷା କରିଥିବା ପୁଲିସ ଶେଷରେ ସଢ଼ୁ ଘରେ ଚଢ଼ଉ କରି ତାକୁ ଧରିବାରେ ସଫଳ ହୋଇଛି। ବୁଧବାର ଯଦୁ ଶ୍ରୀବନ୍ତପୁର ପଞ୍ଚାୟତ ଗଦେଇକୁଦସ୍ଥିତ ପାନୀୟ ଜଳ ପ୍ରକଳ୍ପର ପଛ ପାଖ ଜଙ୍ଗଲରେ ଏକ ବୁଦା ଭିତରେ ଲୁଚାଇ ରଖିଥିବା ବନ୍ଧୁକକୁ ପୁଲିସକୁ ଦେଖାଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ଏହି ଅଭାବନୀୟ କାଣ୍ଡ ଘଟିଥିଲା। ବାଇଗଣ ତୋଳା ଭଳି ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ଘଟିଥିବା ବାପ-ପୁଅ ବିବାଦରେ ପୁଅର ପ୍ରାଣ ଯାଇଥିଲା। ନିଶାରେ ଚୁର୍‌ ଥିବା ବାପା ଯଦୁ ବନ୍ଧୁକ ଆଣି ସିଧାସଳଖ ପୁଅ ଶିବ ଛାତିକୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା। ଘଟଣାସ୍ଥଳରେ ୧୬ ବର୍ଷ ବୟସର ଶିବ ଟଳିପଡ଼ିଥିଲା। ପାଖରେ ଠିଆ ହୋଇ ବାପ-ପୁଅ କଥା କଟାକଟିକୁ ରୋକିବାକୁ ଚେଷ୍ଟା କରୁଥିବା ଯଦୁର ସ୍ତ୍ରୀ ସବୁ ଦେଖୁଥିଲେ ବି ପୁଅକୁ ମୃତ୍ୟୁ ମୁହଁରୁ ବଞ୍ଚାଇ ପାରି ନଥିଲେ।

ଗୁଳିମାଡ଼ରେ ଶିବ ଟଳିପଡ଼ିବା ପରେ ଯଦୁ ଭୟରେ ବନ୍ଧୁକ ସହ ଗାଁରୁ ଫେରାର୍ ହୋଇଯାଇଥିଲା। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯଦୁ ଜଙ୍ଗଲ ଭିତରକୁ ପଳାଇଥିଲା। ସେହିଦିନଠାରୁ ଯଦୁ ଜଙ୍ଗଲରେ ଭାଲୁଙ୍କା, ଚୁଡ଼ଙ୍ଗଗଡ଼ ବସ୍ତି ଓ ଜଙ୍ଗଲ ଭିତରେ ଥିବା ଅନ୍ୟ ବସ୍ତିରେ ଲୁଚି ରହୁଥିଲା। ମାଗିକି ଖାଉଥିଲା ଓ ଜଙ୍ଗଲ ଭିତରେ ଥିବା ପରିବା କିଆରି ଭାଡ଼ିରେ ଶୋଉଥିଲା। ତେଣୁ ପୁଲିସ ବସ୍ତିରେ ଚଢ଼ଉ କଲେ ବି ତାକୁ ଧରି ପାରୁନଥିଲା। ତେବେ ପୁଅକୁ ମାରିଥିବାରୁ ଯଦୁ ବେଶ୍ ଅନୁତପ୍ତ ଥିଲା ଓ ସବୁବେଳେ କାନ୍ଦୁଥିଲା ବୋଲି ଜଙ୍ଗଲ ବସ୍ତିର ଲୋକେ କହୁଥିଲେ। ଏମିତିକି ବହୁ ସମୟ ସେ ଖିଆପିଆ କରୁନଥିଲା ବୋଲି ଖବର ମିଳୁଥିଲା। ପୁଅକୁ ମାରିଥିବାରୁ ପଶ୍ଚାତାପରେ ଜଳୁଥିବା ଯଦୁ ସ୍ତ୍ରୀକୁ ବି ମୁହଁ ଦେଖାଇ ପାରୁନଥିଲା। ତେଣୁ ସେ ଘରକୁ ନଯାଇ କେବଳ ଜଙ୍ଗଲରେ ହିଁ ଦିନ କାଟୁଥିଲା।

ପାଣିକୋଇଲିରେ ଲୁଚିଥିଲା
ଜେଲ୍‌ ଯିବାକୁ ଭୟ କରି ଯଦୁ ପୁଲିସ ହାତରେ ଧରା ଦେବାକୁ ମନା କରୁଥିଲା। ସମ୍ପର୍କୀୟମାନେ ବୁଝାସୁଝା କରିଥିଲେ ବି ଯଦୁ ବୁଝୁନଥିଲା। ଲଘୁଚାପଜନିତ ଲଗାଣ ବର୍ଷା ପୁଲିସ ପାଇଁ ମଉକା ସୃଷ୍ଟି କରିଥିଲା। ବର୍ଷା କାରଣରୁ ଜଙ୍ଗଲରେ ଛପିବା ସମ୍ଭବ ହେବ ନାହିଁ ଓ ସେ ନିଶ୍ଚୟ କୌଣସି ସମ୍ପର୍କୀୟ ଘରେ ରହିବ ବୋଲି ଆଇଆଇସି ଆକାଶ ରଣା ଅନୁମାନ କରିଥିଲେ। ତେଣୁ ଗତ ଚାରି ଦିନ ହେଲା ପୁଲିସ ଟିମ୍‌ ଯଦୁର ସବୁ ସମ୍ପର୍କୀୟଙ୍କ ଘର ଉପରେ ନଜର ରଖିଥିଲା। ଶେଷରେ ଆଇଆଇସି ଶ୍ରୀ ରଣାଙ୍କ ଅନୁମାନ ସତ ହେଲା ଓ ତାକୁ ପାଣିକୋଇଲି ସ୍ଥିତ ସଢ଼ୁ ଘରୁ ଗିରଫ କରାଯାଇଥିଲା।

ଭୋଭୋ କାନ୍ଦିଲା ଯଦୁ
ପୁଲିସକୁ ଦେଖୁ ଦେଖୁ ଯଦୁ ଭୋ ଭୋ କାନ୍ଦିଥିଲା। ନିଜ ହାତରେ ବଢ଼ିଲା ପୁଅକୁ ହତ୍ୟା କରିଥିବାରୁ ନିଜକୁ ବାରମ୍ବାର ଧିକ୍କାର କରିଥିଲା। ଆଜି ଯଦୁକୁ ଗାଁକୁ ଆଣି ପୁଲିସ କ୍ରାଇମ୍‌ ସିନ୍ ରିକ୍ରିଏସନ୍ କରାଇଥିଲା। ସେତେବେଳେ ବି ଯଦୁ ଭୋ ଭୋ ହୋଇ କାନ୍ଦୁଥିଲା। ଏହି ଦୃଶ୍ୟ ଆଜି ମୁଣ୍ଡଳୀ ବେଣ୍ଟୁଆ ବସ୍ତିରେ ଶୋକର ଛାୟା ଖେଳାଇ ଦେଇଥିଲା।

ସମ୍ବନ୍ଧିତ ଖବର