ଭୁବନେଶ୍ୱର : ଭୁବନେଶ୍ବର ମାର୍କେଟ୍‌ ବିଲଡିଂରେ ଆତଙ୍କରାଜ ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସେ ହେଉଛି ଗଜପତିର ଗୋପୀନାଥ ନାୟକ। କ୍ୟାପିଟାଲ ଥାନାର ଏକ ସ୍ବତନ୍ତ୍ର ଟିମ୍‌ ଗଜପତି ଯାଇ ତାକୁ ଗିରଫ କରିଛି। ଏହି ଗିରଫଦାରି ପରେ ମାର୍କେଟ୍‌ ବିଲ୍ଡିଂ ଆତଙ୍କରାଜ ଘଟଣାରେ ଗିରଫଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ସର୍ବସାଧାରଣରେ ଆତଙ୍କ ସୃ‌ଷ୍ଟି କରିବା କାରଣରୁ ୯ ଜଣଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଭଳି ସଙ୍ଗୀନ ଦଫା ଲାଗିଛି। ଏନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, କୌଣସି ପରିସ୍ଥିତିରେ ଅପରାଧକୁ ପ୍ରଶ୍ରୟ ଦିଆଯିବ ନାହିଁ। ନିଶା କାରବାର ଓ ଗୁଣ୍ଡାଗିରିକୁ ସମୂଳେ ନାଶ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିବ।

Advertisment

publive-imageଗତ ଜାନୁଆରି ୧୦ ତାରିଖ ସନ୍ଧ୍ୟାରେ ୪୦ରୁ ୫୦ ଯୁବକ ମୁହଁରେ ମୁଖାବାନ୍ଧି ମାର୍କେଟ ବିଲ୍ଡିଂ ଅଞ୍ଚଳ‌ରେ ପଶିଥିଲେ। ହାତରେ ଲୁହା ଛଡ଼ ଓ ଖଣ୍ଡା ଧରି ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ଦୋକାନ ଭାଙ୍ଗିଥିଲେ। ବଜାରକୁ ଆସିଥିବା ଗ୍ରାହକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସେଠାରେ ଅଧଘଣ୍ଟା ଯାଏଁ ଆତଙ୍କରାଜ ସୃଷ୍ଟି କରିଥିଲେ। ଅଭିଯୋଗ ହେବା ପରେ ପୁଲିସ ଅଦ୍ୟାବଧି ୩୨ ଜଣଙ୍କୁ ଗିରଫ କରି ସାରିଲାଣି। ଏହି ୩୨ ଜଣଙ୍କ ମଧରେ ୧୨ ଜଣ ନାବାଳକ ରହିଛନ୍ତି।

ପୁଲିସ ସୂଚନା ମୁତାବକ, ଗୋପୀନାଥ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁର ସହଯୋଗୀ ଥିଲା। ଚିଣ୍ଟୁର ଇଙ୍ଗିତରେ ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ବଟି ଆଣିବା ସହ ଆବଶ୍ୟକ ପଡ଼ିଲେ ଆକ୍ରମଣ କରୁଥିଲା। ମାର୍କେଟ ବିଲ୍ଡିଂରେ ଥିବା ବିହାରୀ ‌ବ୍ୟବସାୟୀଙ୍କୁ ହଟାଇବା ପାଇଁ ଅନେକ ଦିନରୁ ଏମାନେ ଯୋଜନା କରିଥିଲେ। ଘଣ୍ଟା କିଣାବିକାକୁ ନେଇ ଗଣ୍ଡଗୋଳ ଉପୁଯିବା ପରେ ସେମାନେ ଏହାକୁ ଏକ ସୁଯୋଗ ବୋଲି ଭାବି ଆତଙ୍କସୃଷ୍ଟି କରି ଥିଲେ।