୭ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଆଇନଜୀବୀ ଗିରଫ

ଭୁବନେଶ୍ବର : ରାଜ୍ୟରେ ଶିଶୁ ନିଖୋଜ ଓ ଦୁଷ୍କର୍ମ ମାମଲା ବୃଦ୍ଧିକୁ ନେଇ ରାଜନୀତି ସରଗରମ ହୋଇପଡ଼ିଥିବା ବେ‌ଳେ ପୁରୁଣା ଭୁବନେଶ୍ବରରୁ ଆସିଛି ପୁଣି ଏକ ସଂଗିନ୍ ଅଭିଯୋଗ। ମାତ୍ର ୭ ବର୍ଷର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନାବାଳିକାର ପଡ଼ୋଶୀ ଆଇନଜୀବୀ ରବି ଦାସ(୪୦) ହେଉଛନ୍ତି ଏହି ମାମଲାର ଅଭିଯୁକ୍ତ। ନିଜ ପୁଅର ସାଙ୍ଗ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଜଘନ୍ୟ କାଣ୍ଡର ଅଭିଯୁକ୍ତ ଆଇନଜୀବୀଙ୍କ ବିରୋଧରେ ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଛି। ମାମଲାଟି ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ନାବାଳିକାର ମା’ ଶ୍ରୀଲିଙ୍ଗରାଜ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ରବିଙ୍କ ଘରକୁ ତାଙ୍କ ଝିଅ ଯାଇଥିଲା। ସବୁଦିନ ଭଳି ତାଙ୍କ ଝିଅ ରବିଙ୍କ ପୁଅ ସହ ଖେଳିବାକୁ ତାଙ୍କ ଘରକୁ ଯାଇଥିଲା। ରାତି ପ୍ରାୟ ୯ଟା ବେଳେ ଝିଅ ଘରକୁ ଫେରିଥିଲା ଓ ମା’ଙ୍କ ପାଖରେ କାନ୍ଦିଥିଲା। ଝିଅର କାନ୍ଦିବା ଦେଖି ମା’ କାରଣ ବାବଦରେ ପଚାରିଥିଲେ। ନାବାଳିକା କାନ୍ଦି କାନ୍ଦି ରବି ଅଙ୍କଲ୍‌ଙ୍କ କଦର୍ଯ୍ୟ ବ୍ୟବହାର କଥା ମା’ଙ୍କୁ କହିଥିଲେ। ମା’ ମଧ୍ୟ ନାବାଳିକାର ଶରୀରକୁ ଦେଖି ତା’ ସହ ଖରାପ ବ୍ୟବହାର ହୋଇଥିବା ଜାଣି ପାରିଥିଲେ। ସେ ତୁରନ୍ତ ତାଙ୍କ ସ୍ବାମୀଙ୍କୁ ଫୋନ୍‌ କରି ଘରକୁ ଡକାଇଥିଲେ ଓ ସ୍ବାମୀଙ୍କ ସହ ଶ୍ରୀଲିଙ୍ଗରାଜ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରାଥମିକ ତଦନ୍ତ କରିଥିଲା। ରାତି ପ୍ରାୟ ୧ଟା‌ରେ ପୁଲିସ ଆଇନଜୀବୀ ରବିଙ୍କ ଘରେ ଚଢ଼ଉ କରି ତାଙ୍କୁ ଉଠାଇ ଆଣିଥିଲା। ଆଜି ରବିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ‌ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଅଭିଯୁକ୍ତ ରବିଙ୍କ ଘର ଗଞ୍ଜାମ ଅଞ୍ଚଳରେ। ରବିଙ୍କ ପରିବାର ଓ ନାବାଳିକାର ପରିବାର ପଡ଼ୋଶୀ ଭାବେ ଦୀର୍ଘ ଦିନ ହେଲା ଭଡ଼ାରେ ରହି ଆସୁଛନ୍ତି।

ସମ୍ବନ୍ଧିତ ଖବର