ବାରଙ୍ଗ: ସାଧୁ ବେଶରେ ସଇତାନ। ଜଣେ ଭଣ୍ଡବାବାର କଳା କାରନାମା ପଦାରେ ପଡ଼ିଛି। ଜଣେ କୋମଳମତି ନାବାଳିକାକୁ ଭଣ୍ଡବାବା ଜଣକ ଅସଦାଚରଣ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନାଦାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଫଳରେ ଭଣ୍ଡ ବାବକୁ ଜେଲ୍ ଯିବାକୁ ପଡ଼ିଛି। ଅସଦାବରଣର ଶିକାର ହେଇଥିବା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ନନ୍ଦନକାନନ ଥାନା ପୁଲିସ ଦାଢାସ୍ଥିତ ଏକ ମଠରେ ଚଢ଼ଉ କରି ନିଜକୁ ଜଟାଧାରୀ ବାବା ପରିଚୟ ଦେଇଥିବା ଅମର ଦାସ(୫୦) ନାମକ ଭଣ୍ଡ ବାବାକୁ ଗିରଫ କରି ଜେଲ ହାଜତକୁ ପଠାଇଛି।
ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ସେ ପରିବାର ସହ ନନ୍ଦନକାନନ ଥାନା ଅଞ୍ଚଳରେ ରହନ୍ତି। ଗତ ଶନିବାର ଦିନ ପ୍ରାୟ ସାଢ଼େ ଗୋଟାଏରେ ତାଙ୍କ ନାବାଳିକା ଝିଅ ଘର ପାଖ ଦୋକାନକୁ ଯାଉଥିବା ସମୟରେ ରାସ୍ତାରେ ଅମର ତାଙ୍କୁ ସେ ରହୁଥିବା ମଠକୁ ନେଇଯାଇଥିଲା। ସେହି ସମୟରେ ସେହି ଆଶ୍ରମରେ ଅନ୍ୟ କେହି ନଥିଲେ। ଏହାର ସୁଯୋଗ ନେଇ ଭଣ୍ଡ ବାବା ଅମର ନାବାଳିକା ସହ ଅସଦାଚରଣ କରିଥିଲା। ନାବାଳିକା ଚିତ୍କାର କରିବାରୁ ଅମର ତାକୁ ମିଠା ଖାଇବାକୁ ଦେଇ ପାଟି ଚୁପ୍ କରିବାକୁ ଉଦ୍ୟମ କରିଥିଲା। ଏହା ସହିତ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନ କହିବାକୁ ତାଗିଦ କରି ନାବାଳିକାକୁ ଘରକୁ ପଠାଇ ଦେଇଥିଲା। କିନ୍ତୁ ସେଠାରୁ ଚାଲି ଆସିବା ପରେ ନାବାଳିକା ଘରେ ମା’ଙ୍କୁ ସମସ୍ତ ଘଟଣା କହିଥିଲା। ମା’ ଏ ବିଷୟରେ ସ୍ୱାମୀଙ୍କୁ ଜଣାଇବା ପରେ ଅମର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲା। ପୁଲିସ ବିଶ୍ୱସ୍ତ ସୂତ୍ର ଆଧାରରେ ଦାଢ଼ାସ୍ଥିତ ଏକ ମଠରେ ଚଢ଼ଉ କରି ଅଭିଯୁକ୍ତ ବାବାଙ୍କୁ କାବୁ କରିଥିଲା। ଥାନାକୁ ଆଣି ପଚରାଉଚରା କରିବାରୁ ଅଭିଯୁକ୍ତ ବାବା ନିଜର ଦୋଷ ସ୍ୱୀକାର କରିଥିଲା।