ଭୁବନେଶ୍ୱର: ଜେଲ୍‌ ହାଜତ୍‌ରେ ଥାଇ ଜଣେ ଅଭିଯୁକ୍ତ ରକ୍ତବାନ୍ତି କରିଛନ୍ତି। ଆଜି ସକାଳେ ଏଭଳି ପରିସ୍ଥିତି ହେବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଗତକାଲି ପୁଲିସକୁ ଆକ୍ରମଣ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ବାପା ଓ ଦୁଇ ପୁଅଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଉଛନ୍ତି ଭରତପୁର ସତ୍ୟନଗର ପ୍ଲଟ ନମ୍ବର-୧୧୨୩ରେ ରହୁଥିବା ପଦ୍ମଚରଣ ସାହୁ ଏବଂ ତାଙ୍କ ଦୁଇ ପୁଅ କାଳୁ ଓ ବଳରାମ। ଗତକାଲି ଜାମିନ ନାମଞ୍ଜୁର ହେବାରୁ ତିନିଜଣ ଯାକ ଜେଲ୍‌ ହାତକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗତ ରାତି ଠାରୁ ଅସୁସ୍ଥତା ଅନୁଭବ କରୁଥିଲେ। ଆଜି ସକାଳୁ ସକାଳୁ ସେ ରକ୍ତବାନ୍ତି କରିଥିଲେ। ପୁଲିସ ମାଡ଼ରେ ତାଙ୍କର ରକ୍ତବାନ୍ତି ହୋଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ତେବେ ବାପା-ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା। ସେତେବେଳେ ଆକ୍ରମଣ-ପ୍ରତି ଆକ୍ରମଣରେ ସେ ଆହତ ହୋଇ ଥାଇ ପାରନ୍ତି କିମ୍ବା ଆଉ କିଛି ରୋଗ ଥାଇ ପାରେ ବୋଲି ପୁଲିସ କହିଛି।