ଭୁବନେଶ୍ୱର : ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତ ଖୋଲା ଜିପ୍‌ରେ ବସି ଶୋଭାଯାତ୍ରା କରିବା ମାମଲାକୁ ନେଇ ତନାଘନା ଚାଲିଛି। ଏହି ମାମଲାରେ ଦୁଇଟି ଥାନା ୧୧ ଜଣଙ୍କୁ ଗିରଫ କରିସାରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ପ୍ରଥମେ ଛାଡ଼ି ଦେବା ପରେ ଏବେ ଥାନାର ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନେ ଏଭଳି ଶୋଭାଯାତ୍ରା କରି ଜେଲ୍‌ରୁ ଘରକୁ ଫେରିବା କମିସନରେଟ୍‌ ପୁଲିସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ପୂର୍ବରୁ ହତ୍ୟା ଅଭିଯୁକ୍ତଙ୍କୁ ଏଭଳି ଶୋଭାଯାତ୍ରାରେ ଅଣା ଯାଇନାହିଁ। ସେଥିପାଇଁ କମିସନରେଟ୍‌ ପୁଲିସରେ ଏହା ଏକ କଳା ଦାଗ ବୋଲି କେତେକ ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ମତବ୍ୟକ୍ତ କରିଛନ୍ତି।

Advertisment

ଗୋଟିଏ କିମ୍ବା ଦୁଇଟି ଥାନା ଅଞ୍ଚଳରେ ନୁହେଁ, ବରଂ ଅଭିଯୁକ୍ତମାନେ ଝାରପଡ଼ା ଜେଲ୍‌ରୁ ସୁନ୍ଦରପଦା ପର୍ଯ୍ୟନ୍ତ ୫ଟି ଥାନା ଅଞ୍ଚଳରେ ଶୋଭାଯାତ୍ରା କରିଛନ୍ତି। ୫ଟି ଥାନାର ଅଧିକାରୀ କିମ୍ବା ପିସିଆର ଭ୍ୟାନ୍‌ ମଧ୍ୟ ଏତେ ବଡ଼ ଶୋଭାଯାତ୍ରା ବିଷୟରେ ଜାଣି ପାରିଲେ ନାହିଁ କେମିତି? ୧୦ ତାରିଖ ଦିନ ଏହି ଶୋଭାଯାତ୍ରା ହୋଇଥିବା ବେଳେ ୩ ଦିନ ପରେ ଧରପଗଡ଼ ହେଲା କାହିଁକି? ବାଟରେ ତ ଟ୍ରାଫିକ୍‌ ପୋଷ୍ଟ ଥିବ। ସେଠାରୁ ଥାନାକୁ ଖବର ଆସିବା କଥା। କିନ୍ତୁ ଆସିଲା ନାହିଁ କେମିତି? ଏହା କମିସନରେଟ୍‌ ପୁଲିସ ପାଇଁ ଏକ କଳାଦାଗ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ।

ଅନ୍ୟପଟେ ଆଜି ସମୀକ୍ଷା‌ କଲାବେଳେ ମୁଖ୍ୟମନ୍ତ୍ରୀ କମିସନରେଟ୍‌ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନେଇ କମିସନରେଟ୍‌ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ବିଗତ ଦିନର କେତେକ ଅପରାଧ ଉପରେ ନଜର ପକାଇଲେ ତାହା ସ୍ପଷ୍ଟ ହେଉଛି। ମହିଳା ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲୁଟିବା ହେଉ କି ନୂଆପଲ୍ଲୀ ଅଞ୍ଚଳରେ ଘରେ ପଶି ବରିଷ୍ଠ ନାଗରିକଙ୍କୁ ହତ୍ୟା କରିବା ହେଉ କିମ୍ବା ସହର ଛାତି ଉପରେ ବ୍ୟାଙ୍କ୍‌ ଡକାୟତି ହେଉ ଏ ସବୁ କମିସନରେଟ୍‌ ପୁଲିସର ଅପାରଗତାକୁ ପଦାରେ ପକାଇଛି। ଅଭିଯୁକ୍ତ ଶୋଭାଯାତ୍ରା କରିବା ଘଟଣା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି।

ଗାଡ଼ି ମାଲିକ ଗିରଫ
ଶୋଭାଯାତ୍ରାରେ ଅଭିଯୁକ୍ତ ଆସିବା ମାମଲାରେ ଆଜି ଏୟାରଫିଲଡ୍‌ ଥାନା ପୁଲିସ ଆଉଜଣଙ୍କୁ ଗିରଫ କରିଛି। ସେ ହେଉଛି ସୁନ୍ଦରପଦା ଦୁର୍ଗା ମଣ୍ଡପ ନିକଟରେ ରହୁଥିବା ବିଶ୍ୱଦୀପ ଜେନା। ଅଭିଯୁକ୍ତ ବିଶ୍ୱଦୀପର ଖୋଲା ଜିପ୍‌ରେ ଜାମିନରେ ମୁକୁଳିଥିବା ହତ୍ୟା ଅଭିଯୁକ୍ତମାନଙ୍କୁ ଶୋଭାଯାତ୍ରାରେ ଅଣା ଯାଇଥିଲା। ଅଭିଯୁକ୍ତକୁ ମିଶାଇ ଏହି ମାମଲାରେ ଗିରଫଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଅନ୍ୟପଟେ ଗତକାଲି କ୍ୟାପିଟାଲ ଥାନାରେ ମଧ୍ୟ ଏହି ଶୋଭାଯାତ୍ରା ପାଇଁ ଏକ ମାମଲା ରୁଜୁ ହୋଇଛି।