ମଞ୍ଚେଶ୍ବର ଥାନା ପୁଲିସ୍‌ର ନିଷ୍କ୍ରିୟତା : ଜମି ନ ଛାଡ଼ିବାରୁ ଘର ପୋଡ଼ି ଦେଲେ ଦୁର୍ବୃତ୍ତ, ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲା ପରିବାର

ବାରଙ୍ଗ : ମଞ୍ଚେଶ୍ବର ଥାନା ପୁଲିସର ନିଷ୍କ୍ରିୟତା ଯୋଗୁଁ ଭୁବନେଶ୍ବର ଉପକଣ୍ଠ ବରିମୁଣ୍ତ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଶରଣପୁର ଗ୍ରାମର ବିଷ୍ଣୁ ଦାସଙ୍କ ପରିବାର ନିଆଁ‌ରେ ପୋଡ଼ି ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଦୁର୍ବୃତ୍ତମାନେ ଗତକାଲି ତାଙ୍କ ଚାଳ ଛପର ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ବିଷ୍ଣୁ ଏହା ଜାଣିପାରି ପତ୍ନୀ ଓ ଛୋଟପୁଅଙ୍କୁ ନେଇ ବାହାରି ଆସିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଏ ସଂପର୍କରେ ଆଜି ସେ ପୁଣିଥରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାଥମିକ ତଦନ୍ତ କରିଥିବା ଜଣାଯାଇଛି। କିଛି ଦିନ ତଳେ ବିଷ୍ଣୁ ଓ ସେଠାରେ ରହୁଥିବା ୯ଟି ପରିବାର ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ଏହାକୁ ଗୁରୁତ୍ବର ସହ ନ ନେବାରୁ ଅଭିଯୁକ୍ତମାନେ ଗତକାଲି ଏପରି କାଣ୍ଡ ଘଟାଇଛନ୍ତି ବୋଲି ବିଷ୍ଣୁ କହିଛନ୍ତି।

ବିଷ୍ଣୁଙ୍କ ଅଭିଯୋଗ ମୁତାବକ, କୃଷ୍ଣଶରଣପୁର ମୌଜାର ୫୭୧ ଓ ୭୯୭ନମ୍ବର ପ୍ଲଟରେ ୯ଟି ପରିବାର କାହିଁ କେଉଁକାଳରୁ ରହି ଆସୁଛନ୍ତି। ସେମାନଙ୍କ ନାମରେ ଜମିପଟା ମଧ୍ୟ ରହିଛି। ତେବେ କିଛି ଜମି ମାଫିଆ ଉକ୍ତ ଜାଗାକୁ ବିଲଡର୍‌ ହାତରେ ଟେକିଦେବା ପାଇଁ ଚକ୍ରାନ୍ତ କରୁଛନ୍ତି। ତେଣୁ ସେମାନେ ୯ ପରିବାର ବାସିନ୍ଦାଙ୍କୁ ଜାଗା ଖାଲି କରିବାକୁ ଧମକଚମକ ଦେଇ ଆସୁଛନ୍ତି। ଗତ ୩୧ ତାରିଖରେ ସିଙ୍ଗଡା ଗ୍ରାମର କବିତା ଶ୍ରୀଚନ୍ଦନ ଓ ତାଙ୍କ ସ୍ବାମୀ ପ୍ରଭାତ ଶ୍ରୀଚନ୍ଦନ, ଭୁବନେଶ୍ବର ସତ୍ୟନଗରର ଗଙ୍ଗାଧର ବିଶ୍ବାଳ, କଳାଝରୀ ଗ୍ରାମର ସନ୍ତୋଷ ମହାନ୍ତି ୧୫ରୁ ୨୦ ଭଡ଼ାଟିଆ ଗୁଣ୍ଡାଙ୍କ ସହ ସେଠାକୁ ଆସିଥିଲେ। ଜାଗା ନ ଛାଡ଼ି‌ଲେ ହତ୍ୟା କରିବାକୁ ଧମକ ଦେଇଥିଲେ।

ତେବେ ଗତରାତିରେ ବିଷ୍ଣୁ, ତାଙ୍କ ପତ୍ନୀ ଓ ଛୋଟ ପୁଅ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଧୂଆଁ ଗନ୍ଧରେ ବିଷ୍ଣୁଙ୍କ ନିଦ ଭାଙ୍ଗିଯିବାରୁ ସେ ଜୀବନ ବିକଳରେ ପୁଅ ଓ ସ୍ତ୍ରୀଙ୍କୁ ନେଇ ପଦାକୁ ଚାଲି ଆସିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣି ପକାଇ ନିଆଁକୁ ଲିଭାଇଥିଲେ। ହେଲେ ସେତେବେଳକୁ ଘରେ ରଖିଥିବା ନଗଦ ୧୫ ହଜାର ଟଙ୍କା, ତାଙ୍କ ପୁଅର ବହିବସ୍ତାନି ଓ ଆସବାବପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେଣୁ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ବିଷ୍ଣୁ ଦାବି କରିଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ୍‌ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ହେଁ କାହାରିକୁ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର