ଧାନ ବ୍ୟବସାୟୀଙ୍କ ଉପରକୁ ବୋମା ମାଡ଼ ମାମଲା: ‌ଜେଲ୍‌ ଗଲା ଅଭିଯୁକ୍ତ

ବାଲିଅନ୍ତା : ସ୍ଥାନୀୟ କୂଳସାହି ଗ୍ରାମର ଧାନ ବ୍ୟବସାୟୀ ସଦାଶିବ ମିଶ୍ରଙ୍କ ଉପରକୁ ବୋମା ମାଡ଼ ମାମଲାରେ ବାଲିଅନ୍ତା ଥାନା ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ବାଲିଅନ୍ତା ଥାନା ଅଧୀନ ଆଣ୍ଠୁଆରି ଗ୍ରାମର ବ୍ରଜକିଶୋର ନାୟକ (୩୨) ଓରଫ ଗେଡୁ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବାଲିଅନ୍ତା ଥାନାରେ ନଂ ୧୭୭/୮ ରେ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗ ମୁତାବକ ଗତ ଜୁନ୍‌ ୧୫ ତାରିଖ ରାତି ୧୦ଟାରେ ସଦାଶିବଙ୍କ ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ କରାଯାଇଥିଲା। ସରକାରୀ ମଣ୍ଡିରେ ଧାନ ବିକ୍ରି ବାବଦ ବକେୟା ଟଙ୍କା ମାଗିବାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ତାଙ୍କ ଉପରକୁ ‌ଦୁଇଟି ବୋମା ଫିଙ୍ଗି ହତ୍ୟା ଉଦ୍ୟମ କରିଥିଲେ। ସଦାଶିବ ଗୁରୁତର ହୋଇଥିଲେ ହେଁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଘଟଣା ପରଦିନ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରତାପରୁଦ୍ରପୁର ସେବା ସମବାୟ ସମିତିର ଜଣେ ଡାଟାଏଣ୍ଟ୍ରି ଅପରେଟର୍‌କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଗେଡ଼ୁ ସମେତ ଆଉ ଜଣେ ଅଭିଯୁକ୍ତ ସେବେଠାରୁ ଫେରାର୍‌ ଥିଲା। କୌଣସି ସୂତ୍ରରୁ ଖବର ପାଇ ତଦନ୍ତକାରୀ ପୁଲିସ ଅଧିକାରୀ ପତୁରିଆ ବଜାର ନିକଟରୁ ଗେଡ଼ୁକୁ ଗିରଫ କରିଥିଲେ। ହେଲେ ଅନ୍ୟ ଅଭିଯୁକ୍ତ ସଂପର୍କରେ ପୁଲିସକୁ କୌଣସି ସୁରାକ୍‌ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର